ମୁଁ ଯଦି ହଜିଯାଏ
ଓଲଟାଇବନି ଫର୍ଦ୍ଦ
ପଢିବନି ଅନାଲୋଚିତ ଗଳ୍ପ
କାରଣ ମୁଁ ଏକ ବାଜେ ଅଧ୍ୟାୟଟିଏ ତୁମ ଜୀବନ ବହିରେ
ଅଶାନ୍ତ ହୋଇପାରେ ତୁମର ପ୍ରଶାନ୍ତ ଭାବନା,
ଅନାବୃତ ହେଲା ପରେ।
ମୁଁ ଯଦି ହଜିଯାଏ,
କହିବନି ଆହା ପଦେ
ମୋ ଚାରିପାଖ ଘଟଣାକୁ ଦେଖି
କାରଣ ମୁଁ ଏକ ଅଲୋଡା ପରିତ୍ୟକ୍ତ ଭଗ୍ନ ହୃଦୟଟିଏ
ଭରି ଦେଇପାରେ କିଛିଟା ଯନ୍ତ୍ରଣା , ତୁମରି ମନରେ ।
ମୁଁ ଯଦି ହଜିଯାଏ
ଆଙ୍କିବନି ତୈଳ ଚିତ୍ର
ଦବ ନାହିଁ ଫୁଲ ମାଳ ମୋ ମର ଶରୀରରେ
କାରଣ ମୁଁ ଏକ ପରାଜିତ ସୈନିକ ,ପ୍ରେମ ନଗରୀରେ
କରିପାରେ ଆକ୍ରମଣ ଆର ଜନମରେ।
ମୁଁ ଯଦି ହଜିଯାଏ
ଖୋଜିବନି ମୋତେ
ମୁଁ ତୁମ ପାଇଁ ନୁହେଁ , ଏବେ ମୁଁ ଅଚିହ୍ନା
ବନ୍ଧା ଏବେ ସମ୍ପର୍କର ମାୟା ଜାଲରେ
ଖିନ୍ ଭିନ୍ କରିପାରେ ତୁମ ସୁନ୍ଦର ନୀଡ଼କୁ
ଅଦିନିଆ ଝଡ ବର୍ଷାରେ।
ମୁଁ ଯଦି ହଜିଯାଏ
ଭୟ କରିବନି ମୋ ନିଶଙ୍ଗତା ପାଇଁ
ମଜଭୁତ କରିଦେବ ହୃଦୟକୁ
କାରଣ ତୁମ ଭଲ ପାଇବାର ସ୍ମୃତିକୁ ଏକାଠି କରି
ମୁଁ ଏବେ ବେଶ୍ ଶାନ୍ତିରେ
ପଥିକ ମୁଁ ନିର୍ବାଣ ପ୍ରାପ୍ତିରେ।
ମୁଁ ଯଦି ହଜିଯାଏ
କେବଳ ଏତିକି କରିବ
ଲିଭେଇ ଦେବ ସବୁ ସ୍ମୃତି ମୋ ଯୁଇ ପାଉଁଶରେ
କାରଣ ମୁଁ ଥିଲି ଅନୁପ୍ରବେଶକାରୀ
ତୁମ ଜୀବନର ଶାନ୍ତ ଇଲାକାରେ।

