ଭିଜା ସ୍ୱପ୍ନ - ପବିତ୍ର କୁମାର ନାୟକ

0
ଚଇତି ବୁକୁରେ ଶୀତଳ ସମୀର
      ଛୁଇଁ ଚାଲିଗଲା ଦେହ
ଦଗ୍ଧ ବଇଶାଖୀ ମୁରୁକି ହସଇ
      ଆଖିରେ ଦେଖି ମୋ ଲୁହ....

ଭସା ବଉଦଟା ତୃଷାର୍ତ୍ତ ମରୁରେ
     ଆଶା ବାରି ବୁଣିଦେଲା
ତୁମ ସ୍ମୃତି ଘାତେ ମନ ଉପବନେ
      ଲହୁର ବରଷା ହେଲା....

ସୁଲୁ ସୁଲୁ ବହି ମଳୟର ବାଆ
      ଛାତିରେ ଜଳାଏ ନିଆଁ
ଭରା ଫଗୁଣଟା ବିମୁଖ ହୋଇଣ
      ଜାଳୁଅଛି ମୋର ହିଆ....

ବସନ୍ତ ବି ଆଜି କୋହରେ ଜଳୁଛି
     ଦେଖି  ଅବିରର  ମୁହଁ
ତମେ ନାହଁ ବୋଲି ନିଶବ୍ଦ ନିଶିରେ
      ଚାନ୍ଦିନୀ ଢାଳୁଛି ଲୁହ....

ପୂନେଇଁ ରାତିର ଫୁଲେଇ ଜୋଛନା 
      ପରଷେ ପୀରତି  ତାତି
ତୁମର ସେ ସ୍ମୃତି ମୋପାଇଁ ଗୋ ସାଥୀ
      ଉଁଆସ  ଅନ୍ଧାର  ରାତି....

Post a Comment

0Comments
Post a Comment (0)