ଘରମଣୀ ଡାକ ଦେଲେ ହଇଏ ଶୁଣୁଚ,
ତମେ ସରକାରୀ କି ବେସରକାରୀ (ଚାକିରିଆ )
ନାରାୟଣଙ୍କୁ ଅଗୋଚର
ଏବେ ନେତା ମାନେ ଦେଲେଣି ହୁଙ୍କାର
ଦେବାପାଇଁ ବେକାରୀ ଭତ୍ତା ଆଗାମୀ ଦିନର
ଶୀଘ୍ର ଚାଲ ଭରିବା ଫାରମ୍
ଆମେ ବି ଦେଖେଇ ଦବା ସରକାରୀ ଟଙ୍କାରେ
ଆମେ ବି କରିପାରୁ ହନିମୁନ ଆମର ।
ମୁଁ କହିଲି ରଖ ହେ ତୁମ ବେକାର କଥା
ଚିହୀଙ୍କି ଉଠିଲେ ,
ଖୋଷିଦେଲେ ଦୋପଟା ଅଣ୍ଟାରେ ,ବର୍ଷିଗଲେ ଅନର୍ଗଳ
ନଜିର ରହିଛି
ତମେ କଣ ଦେଖିନାହିଁ ଟଙ୍କି କିଆ ଚାଉଳ ପ୍ରଭାବ ?
ସଭିଏଁ କହନ୍ତି ମିଳନ୍ତି ନାହିଁ ମୂଲିଆ କରିବାକୁ ଚାଷ କାମ।
ଶିକ୍ଷା ,ସ୍ୱାସ୍ଥ୍ୟ ,ପରିମଳ, କୃଷି ଆଉ ଜୀବନ ଜୀବିକା
ଗର୍ଭ ଠାରୁ ପୋଡ଼ା ହବା ଯାଏ
ସରକାର କରିଛନ୍ତି ଅନେକ ଯୋଜନା
ତୁମେ ପରା କୁହ ଏସବୁର
ତୁମେ ସବୁ ଚୁକ୍ତଭିତ୍ତିକ ଶିକ୍ଷିତ ମେଣ୍ଢା ଅଫିସର
ସରକାର ନିରନ୍ତରେ କରୁଥାଏ ତୁମ ଜ୍ଞାନ ବଳାତ୍କାର।
ବଢ଼ଉଚ ନେତା, ମନ୍ତ୍ରୀ, ସରକାରୀ ବାବୁଙ୍କ ଉଦର।
ମୋ ପାଖରେ ନଥିଲା ଉତ୍ତର
ପ୍ରତ୍ୟୁତ୍ତରେ କହିଲି, ଠିକ୍ କହୁଛ
"ଆସ ଆମେ ବେକାର ହବା "
ଝିଅମାନେ ମାଗିବେ ନାହିଁ ଘରେ ଆଉ ଟଙ୍କା
ବଢେଇବେ ସରକାରୀ ଭତ୍ତାରେ ବେଶଭୂଷା
ଟୋକା ମାନେ ଗଡ଼େଇବ ରାସ୍ତାରେ ବୋତଲ।
ବଢେଇବା ଅଭିଯାନ
"ଆସ ଆମେ ବେକାର ହବା "

