
ତୋ କୁଆଁରୀ ଦିନ ସ୍ମୁତିରେ ରହିଲା
ବାଜିଲା ଲୋ ସାହାନାଇ
ପ୍ରୀତିବୋଳା ଗୀତ ଗାଇ ଶୁଣେଇବୁ
ଏବେ ଆଉ କାହା ପାଇଁ ।
ସେଇ ବାଡୁଅର ପାଣି ଦେହେ ପଡିଗଲା ପରେ
ଦେହକୁତୋ ଢାଙ୍କିଦେବୁ
ବଉଳ ପାଟରେ ।
କନକ ବେଦୀରେ ଥିବ
ସୋଧୁଅର ଚିତା
ମନେ ମନେ ହସୁଥିବୁ
ବୁଜି ଆଖି ପତା ।
ମୁଁ ହେଇଗଲି ଅଛୁଆଁ ମଣିଷ
ଟୋପାଏ ସିନ୍ଦୂର ପାଇଁ
ତୋ କୁଆଁରୀ ଦିନ ସ୍ମୃତିରେ ରହିଲା
ବାଜିଲା ଲୋ ସାହାନାଇ - - - -
ତୋ ଘରସାରା ଫୁଲର ପସରା
ବାସୁଥିବ ମହ ମହ
ବଦଳି ଯିବତୋ ଜୀବନର ରେଖା
ଆଉ ତୋର ପରିଚୟ ।
ତୁ ଗଲାପରେ ଫୁଲ ସବାରୀରେ
ମୋ ଜୀବନରେ ଥିବ କଳଙ୍କ ଛାଇ
ତୋ କୁଆଁରୀ ଦିନ ସ୍ମୁତିରେ ରହିଲା
ବାଜିଲା ଲୋ ସାହାନାଇ - - -
ସେପାଖରେ ତୋର ସୁହାଗ ସିନ୍ଦୂର
ଏ ପାଖେ ମୋ ମଲା ମନ
ଶତ ଚେଷ୍ଟା କରି ଫେରାଇ ହେବନି
ଆଉସେ ହଜିଲା ଦିନ ।
ଝର ଝର ହୋଇ ମଝିରେ ଝରୁଛି
ପ୍ରେମ ବୈତରଣୀ ନଈ
ତୋ କୁଆଁରୀ ଦିନ ସ୍ମୁତିରେ ରହିଲା
ବାଜିଲାଲୋ ସାହାନାଇ - - - -
ସିଦ୍ଧେଶ୍ବର ତ୍ରିପାଠୀ
