
ବର୍ଷା ତୁମ କାଉଁରୀ ସ୍ପର୍ଶରେ
ମାଦକତା ଏମିତି ଭରିଛି
ଶ୍ରାବଣର ମାନସପଟରେ
ଚାରୁ ଚିତ୍ର ଆଙ୍କି ସେ ଦେଉଛି।
ଅପେକ୍ଷାରେ ଥିଲା ଯେ ଶ୍ରାବଣ
ମନ ତଳେ ଶୃଙ୍ଗାର ରଚୁଛି
ପ୍ରେମାପ୍ଲୁତ ଶୋହାଗ ବନ୍ଧନେ
ବାନ୍ଧିବାର ପ୍ରୟାସ କରୁଛି।
ବର୍ଷା ତୁମ ମଧୁ ମୂର୍ଚ୍ଛନାରେ
ସୁମଧୁର ସଙ୍ଗୀତ ଶୁଭୁଛି
'ତୁମକୁ ମୁଁ ଭଲପାଏ' ବୋଲି
ଶ୍ରାବଣର କାନରେ କହୁଛି।
ଯନ୍ତ୍ରଣାକୁ ଭୁଲିଛି ଶ୍ରାବଣ
ପାଖରେ ତା' ବର୍ଷାକୁ ପାଇଛି
ବର୍ଷା ତା'ର ପ୍ରେମୀ ଶ୍ରାବଣର
ଜଖମରେ ପ୍ରଲେପ ଲେପିଛି।
ବର୍ଷା ତୁମ ବର୍ଣ୍ଣାଢ୍ୟ ବେଶରେ
ଶିହରଣ ଏମିତି ଖେଳୁଛି
ଶ୍ରାବଣର ସ୍ନାୟୁର ତନ୍ତ୍ରୀରେ
ସମ୍ମୋହନ ବାର୍ତ୍ତା ବାଣ୍ଟୁଅଛି।
ଆତ୍ମହରା ହେଉଛି ଶ୍ରାବଣ
ସମ୍ପର୍କର ମାନେ ସେ ବୁଝିଛି
ଧୂଆଁଳିଆ ବରଷା ଛାତିରେ
ସପନର କୋଣାର୍କ ଗଢିଛି।।
ଶୁଭଶ୍ରୀ ମହାରଣା, ଶିକ୍ଷୟିତ୍ରୀ, ବିଡାନାସୀ, କଟକ
