
ବିଧିର ବିଧାନ ବିଧାତା ନିୟମ
ଗୁନ୍ଥା ସୁଯୋଗ ଦୁର୍ଯୋଗ
କେତେବେଳେ ମିଶେ କାହା ସହ ଯୋଡେ
ମିଳନ ସଙ୍ଗମ ଯୋଗ॥
ସଂସାର ଖୋଜଇ ଭଲ ଭଲ ମାଆ
ମାଆ ଦେଲେ ଭଲ ଶିଶୁ
ଦୁନିଆଁ ହସିବ ପ୍ରଗତି ଫୁଲରେ
ପୋଛିଦେଇ ଦୁଃଖି ଅଶ୍ରୁ॥
ସ୍ୱାମୀ ଖୋଜୁଥାଏ ଭଲ ପତ୍ନୀଟିଏ
ଘର ଖୋଜେ ସୁନା ବୋହୁ
ସୁଖେ ହସୁଥିବ ଦୁଃଖେ କାନ୍ଦୁଥିବ
ଅଧରୁ ଝରାଇ ମହୁ ॥
ଶିଷ୍ୟ ପାଇଁ ଲୋଡା ଭଲ ଗୁରୁଟିଏ
ଦୀପ ପାଇଁ (ଯେହ୍ନେ)ଘିଅ କାଠି
ଜ୍ଞାନର ପ୍ରତିମା ଚରିତ୍ର ପରାଣେ
ଜାତି ଜୀଇଁ ଯିବ ଉଠି॥
ସମ୍ପର୍କର ଡୋର ଶକ୍ତ ହେବା ପାଇଁ
ସାଥୀ ପରି ଲୋଡା ସାଥୀ
ରୋଗପାଇଁ ଯେହ୍ନେ ସୁଷମ ଔଷଧ
ସୁସ୍ଥ ପାଇଁ ଲୋଡା ପଥି॥
ଦେଶପାଇଁ ଲୋଡା ଭଲ ସୈନିକଟେ
ପ୍ରେମିକା ତା ବଳିଦାନ
ଭଲ ମଣିଷଟେ ଈଶ୍ୱର ଲୋଡନ୍ତି
ଯେ ସମ୍ମାନେ ନୁହଁ କୃପଣ॥
ପ୍ରତିଭା ଖୋଜଇ ସୁଯୋଗର ହାତ
ସମୟ ସ୍ଥାନ ସଂଯୋଗ
ଉତ୍ତମ ମିଳନେ ଉତ୍ତମ ସଙ୍ଗମେ
ଦୁନିଆଁ ଲଭେ ବିଭବ ॥
ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର
