କଳେଇ ଭାଡି ତଳକୁ ଚାହିଁଲି... ଦେଖିଲି, ମୋତି ଶୋଇଛି | ପାଞ୍ଚଟା ଛୁଆ ତାକୁ ଝୁଣି ଖୀର ଖାଉଛନ୍ତି | ପିଲାଗୁଡାକୁ ସ୍ନେହରେ ଚାଟୁଛି ମୋତି | ଭାରି ଶୀତ ପଡିଛି ଏଥରକ | ଘରୁ ଗୋଟେ ଅଖା ଆଣି ସେମାନଙ୍କ ଉପରେ ଘୋଡାଇଦେଲି | ରାତିରେ ଭୋଜି ପ୍ରୋଗ୍ରାମ୍, ସାଙ୍ଗ ସାଥୀ ଛାଡିଲେନି | ଘରକୁ ଫେରିଲା ବେଳକୁ ରାତି ଗୋଟାଏ | କଳେଇଗୁଡା ବାଡିରେ ଅଛି | ଚୋର ଦନେଇକୁ ଭୟ | ବାଡିକୁ ଯାଇ ଟର୍ଚ୍ଚ ମାଇଲି, ଯାହାକୁ ଡରୁଥିଲି ସେୟା ଦେଖିଲି | ଗଦାରୁ କଳେଇ ଚାରି ଛ ବିଡା ତଳେ ଖସି ପଡିଛି | ନିଶ୍ଚୟ କେହି ନେବାକୁ ଚେଷ୍ଟାକରୁଥିଲା, ନଚେତ୍ ତଳେ କେମିତି ପଡିଲା ? ମୋ ଉପସ୍ଥିତି ଜାଣି ମୋତି କଳେଇ ଭାଡିତଳୁ ବାହାରି ମୋ ଚାରିପଟେ ବୁଲି କୁଁ କୁଁ ହେଲା, ସତେ ଯେମିତି ମୋତେ କିଛି କହୁଥିଲା ତା ଭାଷାରେ | ତା ପରଦିନ ସକାଳେ କଣ ଗୋଟାଏ ଔଷଧ କିଣିବାକୁ ଔଷଧ ଦୋକାନକୁ ଗଲି | ଦେଖିଲି ଦନେଇ ଛୋଟେଇ ଛୋଟେଇ ଔଷଧ ଦୋକାନରୁ ବାହାରୁଛି | ତା ଗୋଡ ଟାରେ ପଟି ବନ୍ଧାହୋଇଛି | ମୋ ମୁଁହରେ ତା ମୁହଁ ପଡିବାରୁ ସେ ତଳକୁ ମୁହଁ ପୋତି ଚାଲିଗଲା | ଔଷଧ କିଣିଲାବେଳେ ମୁଁ ଦୋକାନୀକୁ ପଚାରିଲି, "ଦନେଇର କଣ ହୋଇଛି " ? ସେ କହିଲା, "କାଲି ରାତିରେ ତାକୁ ଗୋଟେ କୁକୁର ଭିଣିଭିଣା କରି କାମୁଡି ଦେଇଛି | ତାକୁ ମୁଁ ପଟି ବାନ୍ଧି ଟି.ଟି. ଦେଇ ଦେଇଛି ଆଉ ଡାକ୍ତରଖାନାକୁ ଯାଇ କୁକୁର କାମୁଡା ଇଂଜେକ୍ସନ୍ ଦେବାକୁ କହିଛି" | ମୋର ଆଉ କିଛି ବୁଝିବାକୁ ବାକି ରହିଲାନି | ଗୋଟେ ବୁଲା କୁକୁରର ମୋ ପ୍ରତି କୃତଜ୍ଞତା ଯେ କେତେ ତାହା ମୋତେ ଏ ଘଟଣାରୁ ଜଣାପଡିଲା | ମୋତି ପ୍ରତି ମୋ ମନରେ ଏକ ଅନନ୍ୟ ଶ୍ରଦ୍ଧାର ଉତ୍ପତ୍ତି ସେତେବେଳକୁ ହୋଇସାରିଥିଲା |

ପ୍ରମୋଦ କୁମାର ପଣ୍ଡା,
ବାଘମାରୀ, ଖୋର୍ଦ୍ଧା