ଅଠର ସରିଲା ଉଣିଶ ଆସୁଛି ନେଇ ତା’ର ନୂଆ ରୂପ
ସବୁଠି ଚାଲିଛି ସ୍ଵାଗତ ବନ୍ଦନା ଚାଲିଅଛି ନାଚ ଗୀତ   ।।

ଆକାଶ ପାତାଳ ମେଦିନୀ ମଙ୍ଗଳ ମୟ ହୋଇ ହୋଇଉଠେ ଦେଖ
ନୂଆ ସୂରୁଜର ନୂତନ କିରଣେ ଧରା ହୁଏ ବିମୋହିତ   ।।

ପାତାଳେ ବାସୁକୀ ମଥାଟେକି ଉର୍ବୀ କରିଅଛନ୍ତି ଧାରଣ
ଧରଣୀ ରାଣୀ ତା ବେଶ ବଦଳାଇ ନୂଆ ରୂପେ ବିଦ୍ୟମାନ   ।।

ବହିଲାଣି ମନ୍ଦ ମଳୟ ଅନୀଳ କୋଇଲି ଡାକଇ କୁହୁ
ଆମ୍ବ ବଉଳର ବାସ ଚହଟଇ ମହୁମାଛି ପିଏ ମହୁ   ।।

ଗୁଣୁଗୁଣୁ ତାନେ ଗାଉଛନ୍ତି ପରା ମଙ୍ଗଳ ସ୍ଵାଗତ ଗୀତ
ପରଭୃତ ଧୀର ମଧୁର ସଙ୍ଗୀତେ ପ୍ରକୃତି ବି ବିମୋହିତ   ।।

କୁଳୁକୁଳୁ ନାଦ ଶବଦେ ଝରଣା  ଲହରୀ ଲହରୀ  ଖେଳେ
ସରଗ ସୁଷମା ସତେକି ପ୍ରତ୍ୟୟ ହୋଇଅଛି ଧରାତଳେ   ।।

ଗତ ବରଷ ର ଅନେକ ଅକୁହା ହୃଦ ବିଦାରକ କଥା
ଆଉବି ଅନେକ ସୁଖଦ ମୁହୁର୍ତ୍ତ ଦେଇଛି ଅନେକ ବାର୍ତ୍ତା   ।।

ସବୁ ଇତିହାସ ହୋଇ ରହିଗଲା ଏ ଦୁଃଖ ସୁଖ ବାରତା
ଭବିଷ୍ୟତ ତାର ବିଚାର କରିବ ସବୁ ସତ ମିଛ କଥା   ।।

ଆହେ ନବ ବର୍ଷ ଆସ ଆସ ତୁମେ ତୁମର ବରଦ ହସ୍ତ
ପ୍ରସାରି ଦିଅ ହେ ଦୁଃଖ ଦୂର ହେଉ  ଢାଳିଦିଅ ଆଶିର୍ବାଦ   ।।

ଆହେ ବିଶ୍ଵପତି ପ୍ରଫୁଲ୍ଲ ମିନତୀ ତବ ନିରଜ ପୟରେ
ତବ ସୁକରୁଣା ଝରିପଡୁ ପ୍ରଭୁ ନବ ବର୍ଷ ଅବସରେ   ।।

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା