ନବବର୍ଷ ଅବସରେ ମଙ୍ଗଳ ଗୀତି - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0

• ଅଠର ସରିଲା ଉଣିଶ ଆସୁଛି ନେଇ ତା’ର ନୂଆ ରୂପ
• ସବୁଠି ଚାଲିଛି ସ୍ଵାଗତ ବନ୍ଦନା ଚାଲିଅଛି ନାଚ ଗୀତ   ।।
•
• ଆକାଶ ପାତାଳ ମେଦିନୀ ମଙ୍ଗଳ ମୟ ହୋଇ ହୋଇଉଠେ ଦେଖ
• ନୂଆ ସୂରୁଜର ନୂତନ କିରଣେ ଧରା ହୁଏ ବିମୋହିତ   ।।
•
• ପାତାଳେ ବାସୁକୀ ମଥାଟେକି ଉର୍ବୀ କରିଅଛନ୍ତି ଧାରଣ
• ଧରଣୀ ରାଣୀ ତା ବେଶ ବଦଳାଇ ନୂଆ ରୂପେ ବିଦ୍ୟମାନ   ।।
•
• ବହିଲାଣି ମନ୍ଦ ମଳୟ ଅନୀଳ କୋଇଲି ଡାକଇ କୁହୁ
• ଆମ୍ବ ବଉଳର ବାସ ଚହଟଇ ମହୁମାଛି ପିଏ ମହୁ   ।।
•
• ଗୁଣୁଗୁଣୁ ତାନେ ଗାଉଛନ୍ତି ପରା ମଙ୍ଗଳ ସ୍ଵାଗତ ଗୀତ
• ପରଭୃତ ଧୀର ମଧୁର ସଙ୍ଗୀତେ ପ୍ରକୃତି ବି ବିମୋହିତ   ।।
•
• କୁଳୁକୁଳୁ ନାଦ ଶବଦେ ଝରଣା  ଲହରୀ ଲହରୀ  ଖେଳେ
• ସରଗ ସୁଷମା ସତେକି ପ୍ରତ୍ୟୟ ହୋଇଅଛି ଧରାତଳେ   ।।
•
• ଗତ ବରଷ ର ଅନେକ ଅକୁହା ହୃଦ ବିଦାରକ କଥା
• ଆଉବି ଅନେକ ସୁଖଦ ମୁହୁର୍ତ୍ତ ଦେଇଛି ଅନେକ ବାର୍ତ୍ତା   ।।
•
• ସବୁ ଇତିହାସ ହୋଇ ରହିଗଲା ଏ ଦୁଃଖ ସୁଖ ବାରତା
• ଭବିଷ୍ୟତ ତାର ବିଚାର କରିବ ସବୁ ସତ ମିଛ କଥା   ।।
•
• ଆହେ ନବ ବର୍ଷ ଆସ ଆସ ତୁମେ ତୁମର ବରଦ ହସ୍ତ
• ପ୍ରସାରି ଦିଅ ହେ ଦୁଃଖ ଦୂର ହେଉ  ଢାଳିଦିଅ ଆଶିର୍ବାଦ   ।।
•
• ଆହେ ବିଶ୍ଵପତି ପ୍ରଫୁଲ୍ଲ ମିନତୀ ତବ ନିରଜ ପୟରେ
• ତବ ସୁକରୁଣା ଝରିପଡୁ ପ୍ରଭୁ ନବ ବର୍ଷ ଅବସରେ   ।।

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment

0Comments
Post a Comment (0)