
ଛନ୍ଦା ଶ୍ରୀଚରଣେ ବନ୍ଧା ଏ ଜୀବନ ମହାପ୍ରଭୁ ଆର୍ତ୍ତତ୍ରାଣ
ତୁମରି ଭିଆଣ ସସାଗରା ଧରା ବନ,ଘନ ତରୁ ତୃଣ ।।
ସୂର୍ଯ୍ୟ, ଚନ୍ଦ୍ର, ତାରା ତୁମରି ନିର୍ଦ୍ଦେଶେ ହେଉଛନ୍ତି ଆତଯାତ
ଆହା କି ସୁନ୍ଦର ତୁମ ସରଜନା ଦେଖିଲେ ହୁଏ ମୋହିତ
ହେ ପ୍ରାଣ ଦେବତା ସବୁତ ଖଞ୍ଜିଛ ମୋ ପାଇଁ କିମ୍ପା ଦାରୁଣ
ଛନ୍ଦା ଶ୍ରୀତରଣେ……।।
ମୋ ପରି ପାତକି ନଥିବେ କେହି ହେ ମୋ ଜନମ ହୀନିମାନ
ଏତେ ଦୁଃଖଦେଇ କି ସୁଖ ଲଭୁଛ କୁହ କୁହ ଭଗବାନ
ଦେଇଥିଲ କିମ୍ପା ଛଡ଼ାଇ ନେଲ ହେ ଏକି ତୁମ ବଡପଣ
ଛନ୍ଦା ଶ୍ରୀଚରଣେ……।।
ଆଖି ସୁଖେ ନାହଁ ଲହୁ ଲୁହ ହୋଇ ବୁକୁ ଯାଉଅଛି ତିନ୍ତି
କୋହଭରା ହୃଦ ଆନ୍ଦୋଳିତ ହୁଏ ପ୍ରାଣ ହୋଇଯାଏ ମନ୍ଥି
ଏଡେ ମନୋହର ପୃଥିବୀ ତମର ମୋ ପାଇଁ କିଆଁ ବିଷମ
ଛନ୍ଦା ଶ୍ରୀଚରଣେ……।।
ଦେଖୁଛ ହସୁଛ ହେ ଚକା ଆଖିଆ ତଥାପି ଉପଳ ଖଣ୍ଡ
ସମ, ହୋଲ ସ୍ଥିର ନିଥର ତୁମେଯେ ଦୁଃଖୀ ଭୋଗେ ଦୁରୁଦଣ୍ଡ
ଥରେ ପଦ୍ମନେତ୍ରେ ବାରେ ଚାହିଁ ଦେଲେ ମୋକ୍ଷ ଲଭନ୍ତା ଜୀବନ
ଛନ୍ଦା ଶ୍ରୀଚରଣେ…….।।
ଏତେ କି ମୋ ପାପ ଅମାପ ତେବେ କି ନର ଜନ୍ମ ଏ ସଂସାରେ
କାହିଁ ବିଘଟଣ ସଂଯୋଗେ ଜନମ ପୂତ ପବିତ୍ର ଧରାରେ
କଢିନିଅ ଦୁଃଖ ସାର୍ଥକ କର ହେ ମୋର ଏହି ନର ଜନ୍ମ
ଛନ୍ଦା ଶ୍ରୀଚରଣେ…….।।
ଦିଅ ଦରଶନ ଏ ପାପି ନୟନ ଗୋଚରେ ଉଦୟ ହୋଇ
ସବୁ ଦୁଃଖ ପାପ ତୁମ ନାମ ସ୍ମରି ତୁମ ପତାକାକୁ ଚାହିଁ
ଅପସରି ଯାଉ ଶାନ୍ତି ମୁକ୍ତିଦିଅ ପ୍ରଫୁଲ୍ଲ ଜଣାଣ ଘେନ
ଛନ୍ଦା ଶ୍ରୀଚରଣେ…….।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
