ମୋ ଜୀବନ ଯାତ୍ରାରୁ ଅପସୃତ ଆଉ ଏକ ବର୍ଷ
ବ୍ୟଥା,ବେଦନା,ଯନ୍ତ୍ରଣା,ଦୁଃଖ ଆଉ କ୍ଳେଶ
ଚିରସ୍ଥାୟୀ ସୁଖ ଅବା ହେଲା ଯେ ବିଲୀନ
ଜୀବନ ପଥେ କି ଅବା ଅଟେ ମୁଁ ଶ୍ରୀହୀନ
ଅପସରି ଗଲୁ ତୁ ଯେ ମୋ ହୃଦ ଆସ୍ଥାନୁ
ମଣେ ମୁଁ ନିସ୍ପ୍ରଭ ତୋହ ଉପସ୍ଥିତି ବିନୁ ।।

ସମୟ ପେଟିକା ଯେ ଏତେ ଶୀଘ୍ର ବହିଯିବ
ସମ୍ପର୍କଟା ଯୋଡ଼ୁ ଯୋଡ଼ୁ ତ୍ୱରିତ୍ ଭାଙ୍ଗିଯିବ
ଜୀବନଟା କ୍ଷଣସ୍ଥାୟୀ ଲାଗେ ଅଭିଶପ୍ତ
ଅତୀତର କୃତକର୍ମେ ଅଦ୍ୟ ଅନୁତପ୍ତ
ଭୁଲିବାକୁ ଚାହିଁଲେ ଵି ତୁ ମନେପଡ଼ୁ
ମୋ ଜୀବନ ବାଲିଘରେ କେତେ ସ୍ବପ୍ନ ଗଢୁ
ତରଙ୍ଗିତ ଉର୍ମି ଆଜି ଧୋଇ ଦେଲା ସ୍ବପ୍ନ
ଉଡିଗଲା ପ୍ରାଣ ପକ୍ଷୀ କରି ସବୁ ଚୂର୍ଣ୍ଣ।।

ଅବସାନ ହେଲା ଜୀବନ ପୃଷ୍ଠାରୁ ଆଉ ଏକ ଯୁଗର
ଏକାନ୍ତର ଯାତ୍ରୀ ଆଜି ମୁଁ ଏ ଝଡ଼,ଝଂଯା,ପଥର
ଫର୍ଦେ କାଗଜରେ ଲୁକ୍କାୟିତ ଅବ୍ୟକ୍ତ ଗୋପନ କଥା
ଅସମାହିତ ଦ୍ଵନ୍ଦ ଓ ଦ୍ବିଧା ପୂର୍ଣ୍ଣ ଦରଦୀ ମନର ବ୍ୟଥା
ରହିଗଲା ସବୁ ଦିନ ପାଈଁ ହୋଇ ସେ ଅତୀତ
ଯାହା ଥିଲା କାଲି, ବର୍ତ୍ତମାନ ଆଉ ଭବିଷ୍ୟତ ।।

ହରଣ,ଗୁଣନ, ମିଶାଣ, ଆଉ ଫେଡାଣ
ଚାରି ଗାଣିତିକ ପ୍ରକ୍ରିୟା ସମ ଏ ଜୀବନ
ମନ କେବେ କେବେ ସାଜେ ପୂର୍ଣ୍ଣିମାର ଜହ୍ନ
ପୁଣି କେବେ ଅମାବାସ୍ୟାର ତଂଦ୍ରା ସମ ଶୂନଶାନ୍ ଓ ମୌନ
କେବେ ପୁଣି  ସୃଷ୍ଟି କରେ ବିରାଟ ଶୂନ୍ୟସ୍ଥାନ
ତ ପୁଣି କେବେ ପୂର୍ତ୍ତ ହୁଏ ସାଜି ଧାରା ଶ୍ରାବଣ ।।

ଅତୀତକୁ ମନୁ ପୋଛି ମୁଁ ଆଗକୁ ବଢ଼ିଵି
ଦ୍ଵନ୍ଦ,ଦ୍ବିଧା,ଗ୍ଳାନିକୁ ମୁଁ ପୁରା ଭୁଲି ଯିବି
ଭାଙ୍ଗିବିନି ଆସୁ ପଛେ ଯେତେ ଝଡ଼ ଝଂଯା
ମୁକ୍ତ ବିହଙ୍ଗ ମୁଁ ନୁହେଁ  କା' ଶୃଙ୍ଖଳେ ବନ୍ଧା
ବନ୍ଧୁର ପଥ ମୋ ପାଈଁ ସାଜିବନି କଣ୍ଟା
ଅମୀୟ ଲଭିବା ପାଈଁ ଭିଡିଛି ମୁ ଅଣ୍ଟା
ଚରେଇବେତିର ମନ୍ତ୍ର ମୁଁ ଗାଇ ଗାଇ
ଦିବ୍ୟ ମାର୍ଗେ ଦିବ୍ୟତ୍ୱ ଅନୁସନ୍ଧାନିବା ପାଈଁ ।।

ଦେବବ୍ରତ ଜେନା
ଭୋଗରାଇ, ବାଲେଶ୍ଵର