ପୁଣି ଚାଲିଗଲା ବର୍ଷଟିଏ । ସରିଗଲା ଜୀବନର ପୂର୍ଣ୍ଣ ଆୟୁଷରୁ ଆଉ ଗୋଟିଏ ବର୍ଷ । ଅଥଚ ସେ ରହିଗଲା ଠିକ୍ ସେମିତି, ତାର ଚିରାଚରିତ ଘଷରା ଜୀବନଭିତରେ ବାଂଧିହୋଇ । କେତେ ଆଶା ଉଙ୍କିମାରି ପୁଣି ମଉଳି ଯାଇଛି । ବିତିଯାଇଛି କେତେ ସମୟ ଦିନ,ମାସ,ବର୍ଷହୋଇ । ଅଥଚ ସେ ରହିଯାଇଛି ସେମିତି, ଯେମିତିଥିଲା ପାଞ୍ଚବର୍ଷତଳେ  କଲେଜରୁ ଡିଗ୍ରୀଧରି ବାହାରିବାବେଳେ । ସେତେବେଳପରି ଏବେବି ସେ ଖୋଜୁଛି ସମ୍ବାଦପତ୍ରରେ ନିଯୁକ୍ତିସୂଚନା । ପ୍ରତିଯୋଗିତାର ଲମ୍ବାଲାଇନରେ ଠିଆହୋଇ ଇଣ୍ଟରଭ୍ଯୁପରେ ଇଣ୍ଟରଭ୍ଯୁ ଦେଇଚାଲିଛି ବର୍ଷପରେ ବର୍ଷ । କେତେ ନୂଆ ଆଶା ଦେଖିଛି ତ ପୁଣି ନିରାଶାର ଗହ୍ବରରେ ଉବୁଟୁବୁ ହେଇଛି । ରଙ୍ଗୀନ୍ ସ୍ବପ୍ନସବୁ ଫିକାପଡି ଆସିଛି । ତଥାପି ସେ ଧାଇଁଛି ସେଇ ସ୍ବପ୍ନପଛରେ ।
କିନ୍ତୁ କେତେଦିନ ?

ଆଉ କେତେଦିନ ଏମିତି ଧାଇଁଥିବ,ଗୋଟାଏ ଅନ୍ତହୀନ ଲକ୍ଷ୍ଯପଛରେ ?

ରାତିପାହିଲେ  ସକାଳ ହେବ । ଆସିବ ନୂଆବର୍ଷଟିଏ । ଉଲ୍ଲସିତ ହୋଇଉଠିବ ପୃଥିବୀ । ସମସ୍ତେ ପୁଣି ନୂଆ ଆଶା, ନୂଆସ୍ବପ୍ନନେଇ ସ୍ବାଗତକରିବେ ନୂଆବର୍ଷକୁ । କିନ୍ତୁ ରାଜେଶ, ନୂଆବର୍ଷକୁ ସାମ୍ନା କରିବାକୁ  ସାହସ କରିପାରୁ ନଥିଲା । ଆପାଦମସ୍ତକ ରେଜେଇଟା ଢାଙ୍କିହୋଇ ଭାବୁଥିଲା, ଶୀତରାତିଟା ଆହୁରି ଲମ୍ବିଯାଆନ୍ତା କି' ସୁଦୀର୍ଘହୋଇ । ତା'କୁ ଲୁଚିଯିବାପାଇଁ ଅନ୍ତତଃ ଆଶ୍ରାଟିକେ ମିଳିଯାଆନ୍ତା ତ !'

ଘନଶ୍ୟାମ ମହାନ୍ତ
କରଦାଙ୍ଗୀ, ତେଲକୋଇ, କେନ୍ଦୁଝର