
ତିନି ଡାଳେ ଫୁଟା ତେରଟି ଫୁଲରେ
ଗୁନ୍ଥା ଏକ ଫୁଲହାର
କେନ୍ଦୁଗଛ ମୂଳୁ ଝରି ବହି ପାଶେ
ଗଢା ଆମ କେନ୍ଦୁଝର।
ସବୁଜ ସୁନ୍ଦର ବନଭୂଇଁ ତା'ର
ପାହାଡ ସତେ ହୀରକ
ସ୍ୱର୍ଣ୍ଣ ଶସ୍ୟକ୍ଷେତ୍ରେ ସମୀର ତରଙ୍ଗେ
ଆମୋଦ ନାଚେ ପୁଲକ।
ଧରଣୀଧରଙ୍କ ବୀରଭୂଇଁ ଏ ଯେ
ଶୃଙ୍ଖଳା ସଂସ୍କାର ପୀଠ
ଆଧ୍ୟାତ୍ମିକ ବଳେ ବୟୋ ବୁଦ୍ଧିଜୀବୀ
ସଭିଏଁ ପଢାନ୍ତି ପାଠ।
କାଞ୍ଜିପାଣି ଘାଟୀ ଲାଗେ ଚେରାପୁଞ୍ଜି
କି ସୁନ୍ଦର ତା'ର ଶୋଭା !
ବରଷାରେ ମାଟି ଆକାଶ ମିଶଇ
ତା'ର ଛବି ମନଲୋଭା।
ଗୋନାସିକା ନାକୁ ଜଳ ବାଲି ଧାର
ଜନମିଛି ବୈତରଣୀ
ସଭିଙ୍କ ସଙ୍କଟ ହାରିବ ବସିଛି
ଘଟଗାଁ ମା' ତାରିଣୀ।
ରାଜ ଉଆସର ଚାନ୍ଦିନୀ ପୋଖରୀ
ପାଶେ ଜଗା ଶ୍ରୀମନ୍ଦିର
ସିଦ୍ଧମଠେ ବୀର ହନୁମାନ ବସି
ଦେଉଛନ୍ତି କେତେ ବଳ।
ସାନଘାଘରାଟା ନାଚି ନଚାଉଛି
ଡାକୁଛି ଆସ ହେ ପ୍ରିୟ
କାନଝାରୀ ଜଳ,ଚିକିଣିଆ ଡାଳ
ସୁଷମାଭରା ଅମୀୟ ।
ତେଲକୋଇ ଆମ୍ବ ଭାରି ସୁଆଦିଆ
ହାଟଡିହୀ ଧାନ ଜ୍ଞାନ
କେନ୍ଦୁଝର ଭୋଗ କପୁର କଳି ଆଃ
ହାବଳେଶ୍ୱରର ପାନ।
ହରିଚନ୍ଦନପୁର ଚଷାଙ୍କ ପଖାଳ,
ପିଠା- ଆଟପୁର ବଢି
ଘସିପୁରା ମିଠା ବାବାଜୀସାହୁଙ୍କ
ଘଟଗାଁ କୋରା କଚୁଡି।
ଯୋଡା ବଡବିଲ ବଲାଣିର ଖଣି
ଓଡିଶାର ଧନଖଣି
ଆନନ୍ଦପୁରର କାଣ୍ଟିଆଚଦର
ମନକୁ ନିଏସେ କିଣି।
ବାଉଁଶପାଳର ଖଣ୍ଡାଧାର ଜଳ
ପାଟଣାର ଭୀମକୁଣ୍ଡ
ସାହାରପଡାର ଶୀତଳ ପାହାନ୍ତି
କରେ ଥଣ୍ଡା ଆମ ମୁଣ୍ଡ।
ଝୁମ୍ପୁରାହାଟରେ କି ଧନୀ ଗରିବ
ପାନ୍ତି ମନଲାଖି ଦ୍ରବ୍ୟ
ଚମ୍ପୁଆର ରାମତୀର୍ଥେ ଖୁସିମେଳା
ଯୋଡାଶିବ ବାବା ଭୋଗ।
ହାଣ୍ଡିଭଙ୍ଗା ମୃଗାମହାଦେବ ନୃତ୍ୟ
ପାଖେ ଥିଲେ ରାମତୀର୍ଥ
ମା ଗଡଚଣ୍ଡି ବଞ୍ଚୋ ମହାଦେବ କି
ଅପୂର୍ବ ସେ ଚକ୍ରତୀର୍ଥ।
ସୀତା ଠାକୁରାଣୀ ସୀତାବିଞ୍ଜ ପାଶେ
କୁଶଳେଶ୍ୱରର ଶିବ
କେଶରୀକୁଣ୍ଡର ମହିମା ଅପାର
ବାଃ ବ୍ରହ୍ମେଶ୍ୱର ମହାଦେବ।
ଫେରୋମାଙ୍ଗାନିଜ କଳିଙ୍ଗଲୁହା ସିଲ୍
ଆଦିତ୍ୟ ଲୌହ କାରଖାନା
ଜଙ୍ଘିରା ସଫାରି ହଦଗଡ ମାଛ
ଗୁଣ୍ଡିଚାଘାଗୀର ଖାନା।
ବାରାହଟିପିରା ମକରମେଳାକୁ
ଦେଓଗାଁ ଶିବ ମେଳା
ଜମ୍ଭରାର ରଥଯାତ ଚମକାଏ ସଦର
ରାହାସ ଖେଳା।
ଶିକ୍ଷାର ମହକ ଭରିଦିଏ ଏଠି
ଧରଣୀଧର ମହାବିଦ୍ୟାଳୟ
ରାଜା ଧନୁର୍ଜ୍ଜୟ ପୁତ୍ର ବଳଭଦ୍ର
ଗଢିଲେ ଉଚ୍ଚ ବିଦ୍ୟାଳୟ।
ଜଳ ସ୍ଥଳ ପୁଣି ଆକାଶପଥରେ
ଚମକାଏ କେନ୍ଦୁଝର
କେନ୍ଦୁ ଚାର ଆଉ କେତେ ଜାତି କୋଳି
ତେଲକୋଇ ଲାଖ ଟସର।
ଜନ ଗଣନାରେ ଶୋଶୋ ଫକୀରପୁର
ଶିକ୍ଷାରେ ଯେ ପୁରୁଣିଆ
ଜ୍ଞାନ ବିଜ୍ଞାନ କି ରାଜନୀତି କ୍ଷେତ୍ରେ
ଆମ ଆନନ୍ଦପୁର ଆଗରେ ଠିଆ।
ଚାଙ୍ଗୁବାଜା ଆଉ ଜୁଆଙ୍ଗ ନାଚରେ
ସଂସ୍କୃତି ଗାଏ ସଙ୍ଗୀତ
ସରଳ ମଣିଷ ସମ୍ପର୍କ ବ୍ୟାକୁଳେ
ବସେ ମକର ସଙ୍ଗାତ।
ଧନ ଜ୍ଞାନ ମାନ ସମ୍ମାନରେ ମାହୀ
ଓଡିଶା ମାଟି ସ୍ପନ୍ଦନ
ଫୁଲ ଫଳ ମାଟି ପାଣି ପବନ ତା
ଚହଟେ ଯେହ୍ନେ ଚନ୍ଦନ।
ଇତିହାସ ଯାର ଭଗ୍ନ ରାଜବାଟୀ
ଭୂଗୋଳ ଯାହାର ଖଣି
ପରିମଳ ରାଜା ଅମ୍ଳଜାନ ରାଣୀ
ବିଜ୍ଞାନେ ସାହିତ୍ୟେ ମଣି।
ଗୁରୁ ଗୁରୁଜନ ସାକ୍ଷାତ ଈଶ୍ୱର
ଅତିଥି ଆମ ଦେବତା
ଶିଖାଏ ଏ ମାଟି ଟିକେ ଭଲପାଅ
ବିଶ୍ୱାସେ କର ମିତ୍ରତା।
ଦରିଦ୍ରଙ୍କ ଅନ୍ନପୂର୍ଣା ଏଇମାଟି
ସମ୍ଭ୍ରାନ୍ତର ଦାନଥାଳ
ସଭ୍ୟଶିକ୍ଷିତଙ୍କ ତୀର୍ଥକ୍ଷେତ୍ର ଏଠି
ବିଚାରେ ଦିପ୍ତ ମହଲ।
ଏ ମାଟିର ଛୁଆ ଓଡିଶା ପ୍ରଦେଶେ
ପକାନ୍ତି ସଦା ଚହଳ
ବାନ୍ଧନ୍ତି ସଭିଙ୍କୁ ଏକତା ମନ୍ତ୍ରରେ
ବିଞ୍ଚି ପ୍ରେମ ପ୍ରୀତି ଜାଲ।
ମନ୍ଦିର ମାଳିନୀ ଜମ୍ଭରା ଗ୍ରାମରେ
ମୋ ଜନମ ଏ କେନ୍ଦୁଝରେ
ସାତ ଜନ୍ମଯାଏ ଜନ୍ମନ୍ତି କି ଏଠି
ଧନ୍ୟ ହୁଅନ୍ତି ମହୀରେ।
ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, ଆନନ୍ଦପୁର, କେନ୍ଦୁଝର
