
ଯୌବନର ରଜ୍ଜୁ
ଘଷିଘଷି ସରିଗଲାପରେ,
ସୌନ୍ଦର୍ଯ୍ୟର ତ୍ଵଚା
ଅକାଳେ ଝଡିଗଲାପରେ ,
ବାକି ବା’ କ’ଣ ଅଛି?
ପୁରୁଣା ତାଳପୋଥିରୁ
ଓଲଟାଏ,
ସେ ଭଙ୍ଗା-ଅଯୋଡ଼ା
ସମ୍ପର୍କର ଅପ୍ରିତିକର କଥାସବୁ,
ଅପରିଷ୍କାର ଫୋଟୋଫ୍ରେମ୍ ର
କୁହୁଡ଼ିଆ ଦ୍ଵନ୍ଦସବୁକୁ
ପୁଣି ପୋଛିବାକୁ ପ୍ରୟାସକରେ
ପାରିହୋଇ ନିର୍ଲଜତାର
ସବୁବନ୍ଧ ।
ଜାଣିପାରେନି କାହାପାଇଁ
ତା’ର ଏ ପ୍ରୟତ୍ନ !
ଏହି ଉପାଧି - ‘ମି-ଠୁ’
ତା’ ପ୍ରେମର, ନା’ ପ୍ରତାରଣାର
ତା’ ଅବିଶ୍ଵାସର,
ନା’ ଜଳାଞ୍ଜଳିରେ ପାଇଥିବା
ସଫଳତାର ?
ମୁଁ ଯାହା ଜାଣେ
ପ୍ରେମପାଇଁ ସବୁ ନାଟ
ପ୍ରେମପାଇଁ ଏଠିସେଠି ହାଟ
ପ୍ରେମପାଇଁ ସମସ୍ତେ ଏକ
ଫେଣ୍ଟାଫେଣ୍ଟି ରୂପ॥
