
ମୋ ଅଜାଣତରେ ତୁମେ
କେବେ ଭଲ ପାଇବସିଲ
ପାଗଳିପରି ସବୁଆଡ଼େ
ଦେଣ୍ଡୁରା ପିଟିଲ,
ପୁଣି, ଗଢିଦେଲ
ସମ୍ପର୍କରେ ଏକ ଅଭୂଲା ପରିଚୟ॥
ଯାହା ପରଖିବାକୁ ଯାଇ
ମାଗିଥିଲି ଚୁମାଟିଏ
ତୁମେକିନ୍ତୁ ଢାଳିଗଲ
ନିଜର ସର୍ବସ୍ଵ ।
ମୋର ସଂପୂର୍ଣ୍ଣ ଚେଷ୍ଟା
ଓ ବିରୋଧସତ୍ଵେ
ତୁମେ ଭାଙ୍ଗିଚାଲିଲ
ଅନେକ ପ୍ରତିବନ୍ଧ ଏ ସମାଜର
କେବଳ ତୁମର ପାଗଳାମି
ଭଲପାଇବାର,
ମୋ ବିଶ୍ଵାସର॥
ହେଲେ, ମୁଁ କିନ୍ତୁ ଥିଲି
ଅଙ୍ଗୀକାରବଦ୍ଧ
ଆମ ଦୁହିଙ୍କ ପରିବାରପାଇଁ
ଗଢିଥିବା ଏକ ଅଦୃଶ୍ୟ
ପ୍ରେମ ଆଉ ବିଶ୍ଵାସର
ସେଇ ସେତୁବନ୍ଧପାଇଁ॥
ଆଉ ଶେଷରେ
ନପାଇବାର ଅବଶୋଷରେ
ତୁମେ ଦେଲ ମୋତେ ଆଖ୍ୟା
‘ମି-ଠୁ’ ପ୍ରତାରଣାରେ
ଯାହାକୁ ଭାବିଲେ ଲାଗେ
ଏକ ଦୁଃସ୍ଵପ୍ନପରି
କିନ୍ତୁ, କଷ୍ଟଲାଗେ ଯେବେ ଭାବେ
ତୁମେ ସେହିତ’
ଯିଏଦିନେ
‘ଆଇ ଲଭ ୟୁ’ର
ପ୍ରତ୍ୟୁତ୍ତରରେ
ଡରିଡରି କହୁଥିଲ
‘ମି-ଠୁ’ ‘ମି-ଠୁ’ ବୋଲି?
