
ଶିଶୁ ଦିବସ କଣ ପାଳିବେ ଦେହରେ ନାହିଁ କନା,
ମୁହଁରେ କଣ ହସ ଫୁଟିବ ପେଟରେ ନାହିଁ ଦାନା II
ଘର ନାହିଁ କି ଦୁଆର ନାହିଁ ଶୁଅନ୍ତି ରାସ୍ତା କଡେ
ଶୀତ ବରଷା କାକର ସହି ମାଗନ୍ତି ଦ୍ୱାରେ ଦ୍ୱାରେ II
ପାଠପଢା ତ ଦୂରର କଥା ସ୍ୱାସ୍ଥ୍ୟ ତାଙ୍କର ଦେଖ
ତାଙ୍କ କଥାକୁ ବୁଝିବା ପାଇଁ ଅଛି କେ ଭଲ ଲୋକ II
ନୁଖୁରା ମୁଣ୍ଡ କୋରଡ ଆଖି ଗାଲ ଯାଇଛି ପଶି
ପିଞ୍ଜରା ହାଡ ଗଣି ହେଉଛି ପାଇବେ କାହୁଁ ଖୁସି II
ସେନେହ ଟିକେ ପାଇବା ପାଇଁ ହୁଅନ୍ତି ଯା ବିକଳ
ଏଇ ମୋ ଦେଶ ଶିଶୁକୁ ଦେଖ ନାହିଁ କପଟ ଛଳ II
ଚାକର କରି ରଖନ୍ତି କିଏ ,କିଏ ଶୋଷୁଛି ରକ୍ତ
ଯୌନ ଯନ୍ତ୍ରଣା ଦେଉଛି କିଏ ନିଜକୁ କହି ଭକ୍ତ II
ଏ ଦେଶ ଭବିଷ୍ୟତ ଯା ହେବ ଜଣା ପଡୁଛି ଭାଇ
ଉପରେ ସବୁ ହଁ ଚାଲିଛି ଭିତରେ ନାହିଁ ନାହିଁ II
ଶିଶୁ ଅଟଇ କୋମଳ ଫୁଲ ଚକଟା ମାଟି ପରି
ଆମେ ଯେମିତି ଗଢିବା ତାଙ୍କୁ ହେବେ ସେ ସେହିପରି II
ଜାତି ଧରମ ଉଚ୍ଚ କି ନୀଚ୍ଚ ସବୁ ଯିବାରେ ଭୁଲି
ଶିଶୁର ଆମେ ଯତନ ନେବା ଶିଶୁ ଆସନ୍ତା କାଲି II
ତାଙ୍କର ଯାହା ପ୍ରାପ୍ୟ ଅଟେ ଦେବାରେ ଆମେ ମିଶି
ଶିକ୍ଷ୍ୟା ସ୍ୱଚ୍ଛତା ସ୍ୱାସ୍ଥ୍ୟ ଆହାର ସୁରକ୍ଷା ଆଉ ଖୁସି II
ଶିଶୁ ହସିଲେ ଆମେ ହସିବI ହସିବ ଆମ ଦେଶ
ଦେଶରେ ଆଉ ରହିବ ନାହିଁ ଦୁଃଖ ଅଶାନ୍ତି କ୍ଳେଶ II
ଆସରେ ଆସ ନେବା ଶପଥ ଶିଶୁ ଦିବସେ ଆଜି
ଶିଶୁକୁ ଆମେ ଦେବା ସ୍ୱାଧୀନ କଷଣ ଦେବା ତେଜି II
ସପନ ତାଙ୍କ ସତ କରିବା ସୁନ୍ଦର ଭବିଷ୍ୟତ
ସାଙ୍ଗରେ ତାଙ୍କ ରହିବା ସଦା ହୋଇ ତାଙ୍କର ମିତ II
ସସ୍ମିତା ସାହୁ
ଜେଲ ରୋଡ, ନାଶିକ, ମହାରାଷ୍ଟ୍ର
