ମାଣବସା ଗୁରୁବାର - ନାରାୟଣ ଚନ୍ଦ୍ର ସେନାପତି

0

ମଗୁଶୁର ରାଣୀର ଆବାହନରେ
ତୁମେ ଯେବେ ଆସ ଦେବୀ
ପୁଣ୍ୟ ପଙ୍କଜରେ ହୋଇ ବିରାଜମାନ;
ସଂସ୍କୃତି ସାମ୍ରାଜ୍ଞୀ ଓଡିଆ ବୋହୂ
ଇଚ୍ଛାକରେ ପାଳିବାକୁ ମାଣବସା ଗୁରୁବାର,
ସମର୍ପିବ ଭକ୍ତିର ନୈବିଦ୍ୟ
ଜଣାଇବ ଶୁଭ ଅଭିନନ୍ଦନ  ॥
ଗୋମୟ ଚନ୍ଦନରେ ପବିତ୍ର ପୂଲକ ଟାଣି
ଯେବେ ତୁମ ଅଙ୍କା ପାଦଚିହ୍ନ
ଛୁଏଁ ଝୋଟିଚିତା;
ସରାଗେ ଖଟୁଲି ମୁଣ୍ଡାଏ ମାଣଭରା ଧାନ
ହସୁଥାଏ ଧାନକେଣ୍ଡା ବେଣୀ
ଶଙ୍ଖଧ୍ୱନି ଧ୍ୱନିତ ହୁଏ
ମହକାଏ ଧୂପର ସୁଗନ୍ଧ
ଜଳୁଥାଏ ଦିକ୍ ଦିକ୍ ଆଶାଦୀପର ସଳିତା॥
ନିଷ୍ଠାର ହବିଷ ପାଳି ଭକତିରେ ପଢେ ଯେବେ ମା' ଲକ୍ଷ୍ମୀପୁରାଣ
ନିର୍ମଳତା ପବିତ୍ରତା ମନ୍ତ୍ରେ ନାଚେ
ନ ଲଗାଇ ତେଲ ତେଜି ସହବାସ
ଜାତିଭେଦ  ଉଚ୍ଚନୀଚ୍ଚର ପାଚେରୀକୁ ଭାଙ୍ଗି
ଆରୋହଣ କରେ ମହାନତାର ହିମାଳୟ
ବାରମ୍ବାର କରୁଥାଏ ମମତାର କମ୍ପନ॥
ହୀନତ୍ୱ ପାଇଁ ତେଜିଦେଲ ସ୍ୱୟଂ ଜଗନ୍ନାଥ
କରିଦେଲ ଲକ୍ଷ୍ମୀଛଡା
ଜାତିକୁ ଚିହ୍ନାଇ ସଂସ୍କାର;
ଆସ ମା' ଲକ୍ଷ୍ମୀ ମୋ ରାଇଜକୁ
ଘରଘରବୁଲି ନିର୍ଦ୍ଧନକୁ ଦିଅ ଧନ
ପ୍ରାଚୁର୍ଯ୍ୟରେ ଭରୁ ମୋ ଅଞ୍ଚଳ
ଆଦରେ ସଭିଏଁ କରି ଆଦର୍ଶ ଦିନଚର୍ଯ୍ୟା
ଶ୍ରଦ୍ଧାରେ ପାଳନ୍ତୁ
ମାଣବସା ଗୁରୁବାର॥

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

0Comments
Post a Comment (0)