ଅବାଂଛିତ - ପ୍ରମୋଦ କୁମାର ପଣ୍ଡା

0

ହେ ସମୟ ତୁମେ ଯାଅନାହିଁ ଚାଲି
       ପ୍ରିୟାକୁ ଦେଇଛି କଣ୍ଟ
ଆସିବି ବୋଲି ସେ ବସିଥିବ ଚାହିଁ
       ମୁକୁଳାକରି କବାଟ
ଭାରି ଅଭିମାନୀ ଚକୋର-ନୟନୀ
       ଅସଂଖ୍ୟ ଆଶାକୁ ଧରି
ବାରମ୍ବାର ଆସୁଥିବ ଦ୍ୱାରଦେଶେ
       ପୁଣି ଯାଉଥିବ ଫେରି
ସଜାଇଥିବ ସେ ମଲ୍ଲୀଫୁଲ ବିଞ୍ଚି
       ମଖମଲ ଶେଜ ପାରି
ଅଗୁରୁ ଚନ୍ଦନ ବାସ ସିଞ୍ଚିଥିବ
       ସଜ ହୋଇଥିବ ଭାରି
ଘନ ଘନ କମ୍ପୁଥିବ ତା ଆନନ
       ଥରୁଥିବ ତାର ଓଠ
ମୋ ଯିବା ବାଟକୁ ଚାହିଁଥିବ ପ୍ରିୟା
       ପାଉଥିବ ବଡ କଷ୍ଟ
ମଳୟ ପବନ ବହିଆସୁଥିବ     
      ମୋ ପ୍ରିୟା ପଣତ ଛୁଇଁ
ଗଭାର ଗଜରା ମଉଳି ନଯାଉ
       ଦଣ୍ଡେ ମାତ୍ର ଯାଅ ରହି
କଜ୍ଜ୍ୱଳ- ଲଗା ତା ଉଜ୍ଜ୍ୱଳ ନୟନେ
       ଲୁହ ଯେବେ ଯିବ ଆସି
ଅଟକିଯାଅ ହେ ନିମିଷକ ପାଇଁ
       ତା ଲୁହ ନପଡୁ ଖସି

ପ୍ରମୋଦ କୁମାର ପଣ୍ଡା
ବାଘମାରୀ, ଖୋର୍ଦ୍ଧା

Post a Comment

0Comments
Post a Comment (0)