
ଶୀତ ସକାଳଟାରେ ବି ବିଶ୍ୱଜିତଙ୍କ କପୋଳଦେଶରେ ଅନେକ ଘର୍ମ ବିନ୍ଦୁ । ବେଡରୁମ୍ ର ଝରକା ପାଖରେ ଥିବା ଥୁଣ୍ଟା ଆମ୍ବଗଛଟା ଉପରୁ ଭାସିଆସୁଥିବା ଡାମରାକାଉର କର୍କଶ ରାବ ଖୁବ୍ ଅସହ୍ୟବୋଧ ହେଉଛି ତାଙ୍କୁ । ଅନେକ ଅସମାହିତ ପ୍ରଶ୍ନଗୁଡିକର ଉତ୍ତର ଖୋଜିଚାଲିଛନ୍ତି ସେ ନିଜ ଭିତରେ । ହଠାତ୍ ଟେଲିଫୋନ୍ ର କ୍ରିଂ କ୍ରିଂ ଆବାଜ୍ ରେ ନିଜକୁ ପ୍ରକୃତିସ୍ଥ କରିନେଲେ ବିଶ୍ୱଜିତ୍.....। ହୃଦୟର ଗତି ତେଜ୍ ହୋଇଗଲା ତାଙ୍କର । ଆଶା ଓ ଆଶଙ୍କା ଭିତରେ ରିସିଭର ଉଠାଇଲେ ବିଶ୍ୱଜିତ୍ । ଆରପଟୁ ଭାସିଆସିଲା ଆଡଭୋକେଟ୍ ରଞ୍ଜିତ୍ ବାବୁଙ୍କ ଗୁରୁଗମ୍ଭୀର କଣ୍ଠସ୍ୱର...... "ଆମେ କେସ୍ ହାରିଯାଇଛେ ବିଶ୍ୱଜିତ୍ ବାବୁ ! ପୂର୍ବରୁ ଆମେ ଜିତିଥିବା କେସ୍ ର ଜଜମେଣ୍ଟଟା ଏ କେସ୍ ପାଇଁ ବୁମେରାଂ ସାବ୍ୟସ୍ତହେଲା । ଯଦି ଆପଣ ରାଜିହେବେ ତେବେ ଆମେ ହାଇକୋର୍ଟରେ ଅପିଲ୍ କରିପାରିବା" । ହତାଶାରେ ହୃଦୟଟା ଭରିଗଲା ବିଶ୍ୱଜିତଙ୍କର । ରିସିଭରଟାକୁ କ୍ରେଡିଲ୍ ଉପରେ କଚିଦେଇ ଧମ୍ କରି ସୋଫାଉପରେ ବସିପଡିଲେ ସେ । ମନେପଡିଗଲା ତାଙ୍କର ପୂର୍ବ ଘଟଣା ସମୂହ......।
ସେଣ୍ଟ୍ରାଲ୍ ହଲ୍ ରେ ଆୟୋଜିତ ବିଜିନେସ୍ ମିଟିଂରେ ଯୋଗଦେବାକୁ ସେ ଦୃତଗତିରେ କାର୍ ଚଳାଇ ଯାଉଥିଲେ, କାରଣ ସେଦିନ ତାଙ୍କର ଡ୍ରାଇଭର ଛୁଟିରେ ଥିଲା । ହଠାତ୍ ରୋଡ୍ ଡାଇଭର୍ସନ୍ ପାଖରେ ରୋଡ୍ କ୍ରସ୍ କରୁଥିବା ଗୋଟେ ଲୋକ ଉପରେ ତାଙ୍କ କାର୍ ଚଢିଗଲା । ବାସ୍, କୋର୍ଟରେ କେସ୍ ଚାଲିଲା । ମର୍ଡର କେସ୍ ରୁ ତ ସେ ବଞ୍ଚିଗଲେ ମାତ୍ର କମ୍ପେନ୍ସେସନ୍ କେସ୍ ରେ ତାଙ୍କୁ ପାଞ୍ଚଲକ୍ଷ ଟଙ୍କା ମୃତ ଲକ୍ଷ୍ମଣର ବିଧବା ପତ୍ନୀକୁ ଦେବାକୁ ରାୟ ହେଲା । ଆତ୍ମଗର୍ବରେ ଭରପୁର ବିଶ୍ୱଜିତ୍ ସେ ରାୟ ବିରୁଦ୍ଧରେ ଉପର କୋର୍ଟରେ ଅପିଲ୍ କଲେ । ସାକ୍ଷୀମାନଙ୍କୁ ପ୍ରଭାବିତକରି ସେ କେସ୍ କୁ ନିଜ ସପକ୍ଷକୁ ନେଇଆସିଲେ । ବାସ୍ ଜିତିଗଲେ ବିଶ୍ୱଜିତ୍ ନିଜର ଅର୍ଥ ଆଉ ପ୍ରତିପତ୍ତି ବଳରେ । ଏକ ନିର୍ଧନ, ନିର୍ବଳ, ନିରୀହା ଅପାଠୁଆ, ଅସହାୟା ବିଧବା ସ୍ତ୍ରୀଲୋକଟା ବା କଣ କରିପାରିବ ? କୋର୍ଟରେ କେସ୍ ଜିତିଲା ଦିନ ମନଖୁସିରେ ଉତ୍ ଫୁଲିତ ବିଶ୍ୱଜିତ୍ ନିଜର ନବବିବାହିତା ପ୍ରାଣପ୍ରିୟା ପତ୍ନୀ ସଞ୍ଜନାଙ୍କୁ ନେଇ ଏକ ଷ୍ଟାର ହୋଟେଲ୍ ରେ ଲଞ୍ଚ୍ ନେବାକୁ ନିଜେ କାର୍ ଡ୍ରାଇଭିଂକରି ଯାଉଥିଲେ । ଗଳିମୁଣ୍ଡରେ କାର୍ ଟାକୁ ରାଇଟ୍ ଟର୍ଣ୍ଣ ଦେଲାବେଳକୁ ବିପରୀତ ଦିଗରୁ ଆସୁଥିବା ଲରିଟା ଧକ୍କାଦେଲା ବିଶ୍ୱଜିତଙ୍କ କାର୍ କୁ । ବାସ୍....ଢୋ କରି ଏକ କାନଫଟା ଶବ୍ଦ । ଆଉ କିଛି ଜାଣିନାହାନ୍ତି ସେ ।
ହସ୍ପିଟାଲ୍ ରେ ଯେବେ ତାଙ୍କର ଚେତାଆସିଲା ଦେଖିଲେ ତାଙ୍କ ସାଇଡ୍ ବେଡ୍ ରେ ବ୍ୟାଣ୍ଡେଜ୍ ଭିଡା ସଞ୍ଜନା ଶୋଇଛନ୍ତି । ତାଙ୍କର ଚେତା ଆସିନି । ନ୍ୟୁରୋସର୍ଜନ୍ କହିଲେ କି ସଞ୍ଜନା ବର୍ତ୍ତମାନ କୋମାରେ । ମସ୍ତିଷ୍କରେ ଗୁରୁତର ଆଘାତ କାରଣରୁ ଏଭଳି ଘଟିଛି । ଈଶ୍ୱରଙ୍କୁ ଡାକ ଶୀଘ୍ର ଆରୋଗ୍ୟ ପାଇଁ । ବିଶ୍ୱଜିତ୍ ପାଣିପରି ଟଙ୍କା ଖର୍ଚ୍ଚକଲେବି କୋମାରୁ ଆରୋଗ୍ୟ ହୋଇପାରିଲେ ନାହିଁ ସଞ୍ଜନା । ଏଣେ ତାଙ୍କ ଆଡଭୋକେଟ୍ ରଞ୍ଜିତ୍ ବାବୁ ଲରି ମାଲିକ ବିରୁଦ୍ଧରେ କମ୍ପେନ୍ସେସନ୍ କେସ୍ ଦାୟରକରିଦେଲେ । କିନ୍ତୁ ପୂର୍ବରୁ ବିଶ୍ୱଜିତ୍ ଙ୍କ ସପକ୍ଷରେ ଯାଇଥିବା ରାୟ ଏବେ ତାଙ୍କ ବିପକ୍ଷରେ ଗଲା । କେସ୍ ରେ ହାରିବା ଯଦିଓ ବିଶ୍ୱଜିତ୍ ଙ୍କୁ ବାଧୁନଥିଲା, କିନ୍ତୁ ପ୍ରାଣପ୍ରିୟା ପତ୍ନୀ ସଞନାଙ୍କ କୋମା ଅବସ୍ଥା ତାଙ୍କ ହୃଦୟକୁ ଦୋହଲାଇ ଦେଉଥିଲା । ହଠତ୍ ତାଙ୍କ ଆଖି ଆଗରେ ଭାସିଉଠିଲା ଲକ୍ଷ୍ମଣର ସେଇ ମଇଳା ଚିରା ଶାଢୀ ପିନ୍ଧା ଅସହାୟ ଆଖିରେ ଏଣେ ତେଣେ ସାହାଯ୍ୟ ଆଶାରେ ଚାହୁଁଥିବା ସେଇ ନିରୀହା ସ୍ତ୍ରୀ ଟିର ଆଖିଦୁଇଟା । ଅନ୍ତରାତ୍ମା ଯେପରି ତାଙ୍କୁ କହୁଥିଲା ତାଙ୍କ ପୂର୍ବ ପାପର ଫଳ ସେ ଭୋଗକରୁଛନ୍ତି । ନାଁ.... ଗୋଟେ ଅସ୍ଫୁଟ ଚିତ୍କାର ବିଶ୍ୱଜିତ୍ ଙ୍କ ପାଟିରୁ ବାହାରି ପଡିଲା । କାଳ ବିଳମ୍ବ ନକରି ସେ ବାହାରିପଡିଲେ । ତାଙ୍କର କାର୍ ପହଞ୍ଚିଲା ଏକ ଆବର୍ଜନାପୂର୍ଣ୍ଣ ବସ୍ତିର ନୁଆଁଣିଆ ଜରାଜୀର୍ଣ୍ଣ କୁଡିଆ ଆଗରେ । ତାଙ୍କ ଡାକ ଶୁଣି କୁଡିଆ ଭିତରୁ ବାହାରିଆସିଲା ମଇଳା ଶାଢୀପିନ୍ଧା ଶିରାପ୍ରଶିରାଯୁକ୍ତା ଖୁଁ ଖୁଁ କାଶୁଥିବା ଲକ୍ଷ୍ମଣର ସ୍ତ୍ରୀ । ସାଥିରେ ଅହଣ୍ଡିଆ ରୋଗଗ୍ରସ୍ତ ଦୁଇଟା ଛୁଆ । ସାମ୍ନାରେ ବିଶ୍ୱଜିତ୍ ଙ୍କୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ସେ ଚାହିଁଲା । ତା'ର ଚକ୍ଷୁରୁ କ୍ରୋଧ ଓ ଘୃଣାର ଭାବ ସ୍ପଷ୍ଟ ବାରିହୋଇଯାଉଥିଲା । ବିଶ୍ୱଜିତ୍ ସ୍ତ୍ରୀ ଲୋକଟିର ହାତ ଦୁଇଟିକୁ ଧରିପକାଇ କୋହମିଶା କଣ୍ଠରେ କହିଲେ, "ମୁଁ ମୋର କୃତକର୍ମର ଫଳ ପାଇସାରିଛି । ମୋ ପତ୍ନୀ ଆଜି ମୋର ପାପର ଫଳ ସ୍ୱରୂପ ହସ୍ପିଟାଲ୍ ରେ ପଡି ମୃତ୍ୟୁ ସହିତ ସଂଗ୍ରାମ କରୁଛି । ତୁମେ ମୋତେ କ୍ଷମାକର" । ତାପରେ କାର୍ ଭିତରୁ ଗୋଟେ ହ୍ୟାଣ୍ଡ୍ ବ୍ୟାଗ୍ ଆଣି ଲକ୍ଷ୍ମଣର ସ୍ତ୍ରୀ କୁ ଦେଇ କହିଲେ, "ଏଥିରେ ପାଞ୍ଚଲକ୍ଷ ଟଙ୍କା ଅଛି । ଏହାକୁ ଗ୍ରହଣକରି ମୋତେ ମୋ ପାପର ପ୍ରାୟଶ୍ଚିତ କରିବାକୁ ଦିଅ" ।
ଏହାପରେ ସେ ହତପ୍ରଭା ଲକ୍ଷ୍ମଣର ସ୍ତ୍ରୀ କୁ ସେଇ ଅବସ୍ଥାରେ ଛାଡି ସିଧା ପହଞ୍ଚିଲେ ହସ୍ପିଟାଲ୍ ରେ । ବିଶ୍ୱଜିତ୍ ଙ୍କୁ ଦେଖି ନ୍ୟୁରୋଲୋଜି ପ୍ରଫେସର୍ କହିଲେ,"ୟୁ ଆର୍ ଲକି ମିଃ. ବିଶ୍ୱଜିତ୍ । ୟୋର ୱାଇଫ୍ ହାଜ୍ ଗଟ୍ ହର୍ ସେନ୍ସ୍ । ସି ଇଜ୍ କ୍ୱାଇଟ୍ ଓକେ ନାଓ । ୟୁ କ୍ୟାନ୍ ଟେକ୍ ହର୍ ବ୍ୟାକ୍ ଟୁ ୟୋର୍ ହୋମ୍ ଇନ୍ ଏ ଡେ ଅର୍ ଟୁ" । ଈଶ୍ୱରଙ୍କ ଉଦ୍ଦେଶ୍ୟରେ ହାତଯୋଡି ଗଦ୍ ଗଦ୍ କଣ୍ଠରେ ବିଶ୍ୱଜିତ୍ କହିଲେ "ହେ ପ୍ରଭୁ ! ୟୁ ଆର୍ ଓନଲି ଲ ମେକର୍" । ଦୁଇ ଧାର ଆନନ୍ଦାଶୃ ତାଙ୍କର ଦୁଇ ଆଖିରୁ ଗଡିପଡିଲା.... ।
ପ୍ରମୋଦ କୁମାର ପଣ୍ଡା
ବାଘମାରୀ, ଖୋରଧା
