
ବିଶାଳ ସଂସାରେ ଛୋଟ ଚିଜଟେ ମୁଁ
ସଭିଙ୍କ ବିଚାରେ ହୀନ
ପାଦତଳେ ବୋଲି ପାଏନା ଆଦର
ସଦା ହୋଇଥାଏ ଘୃଣ୍ୟ॥
ଦୂଷିତ ଶୋଷି ମୁଁ ବିଶୁଦ୍ଧ କରାଏ
କଣ୍ଟା ତାପୁ ଦେଇ ମୁକ୍ତି
ଜୀବାଣୁ ନ ଛାଡି ନୀରୋଗ ମୁଁ ରଖେ
ଖୁସି ଦେଇ ଲଭେ ତୃପ୍ତି॥
ତ୍ରେତୟାରେ ଥିଲି ରାମଙ୍କ ପାଦୁକା
ନନ୍ଦି ସିଂହାସନେ ବସି
ଭରତ ପାଖରୁ ପାଉଥିଲି ପୂଜା
ମହାନତା ଦେଲି ହସି॥
ସ୍ୱଚ୍ଛ ଭାରତର ପାଇଖାନା ପାଇଁ
ମୁଁ ଅଟେ ପ୍ରଥମ ତୀର
ମୋତେ ନ ପିନ୍ଧିଲେ ଅପୂରଣ ଲାଗେ
ଯୋଜନା ନୁହେଁ ସଫଳ॥
ହାଏ ହିଲ୍ ବୁଟ୍ ହାଫ ସୁଜ୍ ପିନ୍ଧି
ବୋଲାନ୍ତି ସବୁ ମଡର୍ଣ୍ଣ
ଚଟି କାନ୍ ଭାସ ଚପଲ ସାଣ୍ଡାଲ୍
ରୂପ ମୋ କେତେ ଯେ ଭିନ୍ନ॥
ଚମଡା ପ୍ଲାଷ୍ଟିକ୍ ରୂପେ ପାଦେ ଥିଲେ
ବିଦ୍ୟୁତ୍ ମୋ ଠାରୁ ଧାଏଁ
ରଜରେ କଦଳୀ ପଟୁଆ ଜୋତା ମୁଁ
ମା ବସୁମତି ପରେ ଛୁଏଁ॥
ଏତିକି ଅଛି ମୋ ମନେ ଅବଶୋଷ
ହେଲିନି ଘର ମେମ୍ବର
ଅଛୁଆଁ ନ ପଶେ ଘରେ କି ମନ୍ଦିରେ
ଦୁଷ୍ଟ ବେକେ ସାଜେ ମାଳ॥
ନାରାୟଣ ସେନାପତି
ଜମ୍ଭରା, କେନ୍ଦୁଝର
