ଯାତ୍ରା ଅବିରତ - ଅଧ୍ୟାପିକା ସସ୍ମିତା ମିଶ୍ର

0

ପଚାରି ବସିଲ
ସେ ଏକ ଦୀର୍ଘପଥ
ଅନଭିଜ୍ଞ ତା ବାବଦକୁ ମୁଁ
ହୋଇପାରେ
କେବେ ପିଛିଳ
ଅଣଓସାରିଆ
କେବେ କଣ୍ଟକିତ
ଅନ୍ଧାରିଆ ସୁଡ଼ଙ୍ଗ 
କେବେ ପଥୁରିଆ 
କେବେ ପୁଣି ମାଇଲ ମାଇଲ ଧରି
ତତଲା ବାଲିରେ ଫୋଟକା 
ହୋଇପାରେ ପାଦ
ଆଗକୁ ସୁଉଚ୍ଚ ପାହାଡ 
ଅଣନିଶ୍ୱାସୀ ହୋଇ ପାର ଉଠାଣି ରାସ୍ତାରେ 
ପଡିପାରେ ଛୋଟମୋଟ ସ୍ରୋତସ୍ୱିନୀ
କାତ ଆହୁଲା ଡଙ୍ଗା ଥିବ କି ନ ଥିବ
ଅନଭିଜ୍ଞ ତା ବାବଦ କୁ ମୁଁ
କିନ୍ତୁ ଯାତ୍ରା ଅବିରତ 
କମା ନାହିଁ କେବଳ ପୂର୍ଣଛେଦ 
କୁହ ସହଯାତ୍ରୀ ହେବ
ସମ୍ମତି ଦେଲି
ହାତ ଧରୁଧରୁ
ହ୍ରଦୟଟା କି ଧରିନେଲି ?
ଅଜାଣତରେ


ଅନେକ ବାର
ମୋର କ୍ଲାନ୍ତ ଆଖି
ବିବଶ ମନ
ଅଣଉଠା ପାଦ
ଅକୁହା ଓଠ
ଅନିଛୁକ ହୃଦୟକୁ
ପଢ଼ିନିଅ ତମେ
କୁହ ଫେରିପାର ସହଯାତ୍ରୀ
ସମତଳ ସୁନ୍ଦର ପଥ
ତୁମ ଅପେକ୍ଷାରେ 

ଏ କି କଥା?????
କହିଥିଲ ଯାତ୍ରା ଅବିରତ
କମା ନାହିଁ କେଵଳ ପୂର୍ଣ୍ଣଛେଦ
ତେଵେ ଫେରିବାର ସର୍ତ୍ତ
କେବେ ହେଲା
କେବେ ହେଲା ସାଥୀ ଛାଡ଼ି
ସମତଳ ସୁନ୍ଦର ପଥର ସମ୍ମୋହନରେ
ପଲାୟନପନ୍ଥୀ ହେବାର ସର୍ତ୍ତ
ସର୍ତ୍ତ ମୁତାବକ
ସବୁ ତ ଚାଲିଛି ଠିକଠାକ 
ସୁଡ଼ଙ୍ଗ ଠାରୁ ସ୍ରୋତସ୍ୱିନୀ ପର୍ଯ୍ୟନ୍ତ
ପିଛିଳ ଠାରୁ ପଥୁରିଆ ପର୍ଯ୍ୟନ୍ତ
 ଅନ୍ଧାରିଆ ଠାରୁ ଅଣଓସାରିଆ ପର୍ଯ୍ୟନ୍ତ
ତଥାପି ନିରେଖି ଦେଖେ .
ଦୂରକୁ ଦୂରକୁ
ନୟନର ସରହଦ ଯାଏଁ
କାଳିଆ ତ୍ରିପଣ୍ଡ ତାର ଓସାରିଆ ପିଠି
ଦିପାଖିଆ ବରଗଛ ଛାଇ
ଦିଶିଗଲେ ଲୋଭ ହୁଏ
ଅଧ୍ବ ଶ୍ରମ ବିନୋଦନକରି
ଅନ୍ତତଃ ଗୋଟେ ଦୁଇ ମାଇଲ
ସୁରୁଖୁରୁରେ ସଇତଲିଆରେ
ସହଯାତ୍ରା କରନ୍ତେନି
ସରିବା ଆଗରୁ ପଥ
ପଥ ଅବା ଯାତ୍ରା
ଅଜାଣତ ତା ବାବଦ କୁ ମୁଁ
ତୁମେ ବି
ତେଣୁ ତୁମ କଥା ହେଉ ପଥସାଥୀ
ପୂର୍ଣ୍ଣଛେଦେ ହେଉ ଇତି
ପୂର୍ଣ ହେଉ ମନୋରଥ ତୁମ ସହ
ଚାଲିଥାଉ ତୁମ ସହ ଯାତ୍ରା ଅବିରତ
ତୁମ ବିନା ବିରତିରେ   ନାହିଁ ମୋର ମତି

ଅଧ୍ୟାପିକା ସସ୍ମିତା ମିଶ୍ର
ମହାନଦୀବିହାର ମହିଳା ମହାବିଦ୍ୟାଳୟ, କଟକ

Post a Comment

0Comments
Post a Comment (0)