
ବିଶ୍ୱଜିତ ମିଶ୍ର, ଏକ ଘରୋଇ ମହାବିଦ୍ୟାଳୟରେ ଜଣେ ଇଂରାଜୀ ଅଧ୍ୟାପକ । ବୟସ ପାଖାପାଖି ୪୭ ବର୍ଷ । ସ୍ତ୍ରୀ ଅନୁପମା ସରକାରୀ ବାଳିକା ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟତ୍ରୀ । ଝିଅ ଦୀକ୍ଷା ଇଞ୍ଜିନିଅରିଂ ଦ୍ୱିତୀୟ ବର୍ଷର ଛାତ୍ରୀ । ପରିବାର ବୋଲି ଏତିକି । ତଥାପି ବିଶ୍ୱଜିତଙ୍କ ମୁହଁ ରେ କେବେ ହସ ଦେଖିବାକୁ ମିଳେ ନାହିଁ । କିନ୍ତୁ ଅନୁପମା ମାଡାମ ଭାରି ଚଳଚଂଚଳ । ଦେଖିଲା ମାତ୍ରେ ଓଠରେ ହସ ଟିଏ ନିଶ୍ଚୟ ଦିଅନ୍ତି । ପଡୋଶୀ ଓ ସାଙ୍ଗମାନଙ୍କ ସହ ମିଶିବା , ଗରିବଙ୍କୁ ଦେଖି ସାହାଯ୍ୟ କରିବା । ଅନେକ ଗୁଡିଏ ଭଲ ଗୁଣର ଅଧିକାରିଣୀ ସିଏ । ତେଣୁ ବିଶ୍ୱଜିତଙ୍କ ଠାରୁ ତାଙ୍କର ଲୋକପ୍ରିୟତା ବେଶୀ ।
ଦିନକର ଘଟଣା ଅନୁପମା ନବମ ଶ୍ରେଣୀରେ ପଢ଼ାଉଥାନ୍ତି । ଚପରାଶି ହଠାତ ଆସି କହିଲା, "ମାଡାମ ଅଫିସ କୁ ଆସନ୍ତୁ, ଆପଣଂକର ଜରୁରୀ ଫୋନ ଆସିଛି" । ଅଫିସ କୁ ଆସି ବୁଝିଲେ ବିଶ୍ୱଜିତଙ୍କର ସାଙ୍ଘାତିକ ଦୁର୍ଘଟଣା ହୋଇଛି ଆଉ ସେ 'ସେବା ନର୍ସିଙ୍ଗ ହୋମ' ରେ ଅଛନ୍ତି । ଏ କଥା ଶୁଣିବା ମାତ୍ରେ ବ୍ୟତିବ୍ୟସ୍ତ ହୋଇ ପଡିଲେ । କଣ କରିବେ କେମିତି ଯିବେ । ସେତେବେଳେ ଟ୍ୟାକ୍ସିର ବ୍ୟବସ୍ତା ନ ଥିଲା । ସେତିକି ବେଳେ ହିନ୍ଦୀ ସାର କହିଲେ ଦିଦି ମୁଁ ବାଇକ୍ ରେ ଆପଣଙ୍କୁ ନର୍ସିଙ୍ଗ ହୋମ ରେ ଛାଡ଼ିଦେବି ଚାଲନ୍ତୁ । ସମୟ ନଷ୍ଟ ନ କରି ଦୁହେଁ ବାହାରିଗଲେ । ସେଠାରେ ପହଁଚିଲା ବେଳକୁ ଅପରାହ୍ନ ୧:୩୦ । ପ୍ରାୟ ଦୁଇ ଘଣ୍ଟାର ରାସ୍ତା । ହିନ୍ଦୀ ସାର ବିଶ୍ୱଜିତଙ୍କୁ ଆଇ ସି ୟୁ ବାହାରୁ ଦେଖି ଚାଲି ଆସିଲେ ଏବଂ ଅନୁ ସ୍ୱାମୀଙ୍କ ଚେତା ଫେରିବା ବାଟକୁ ଅପେକ୍ଷା କରି ପାଖ ବେଞ୍ଚ ରେ ବସି ଥାନ୍ତି । ଡାକ୍ତରଙ୍କଠାରୁ ଜାଣିବାକୁ ପାଇଲେ ଯେ, ବିଶ୍ୱଜିତଙ୍କର ଡାହାଣ ଗୋଡ଼ଟି ଭାଙ୍ଗି ଯାଇଛି । ଅପରାହ୍ନ ୩ ଟା ବେଳକୁ ବିଶ୍ୱଜିତଙ୍କର ଚେତା ଆସିଲା । ତା ପରେ ଅନୁପମା ସ୍ୱାମୀଙ୍କୁ ଦେଖା କଲେ । ଆଖିରୁ ବୋହି ଯାଉଥାଏ ଲୁହର ଧାର । ଡାକ୍ତର ବେଶୀ କଥା ହେବା ପାଇଁ ମନା କଲେ । ତେଣୁ ସ୍ୱାମୀଙ୍କ ବେଡ଼ ନିକଟରେ ଥିବା ଅନ୍ୟ ଏକ ବେଡ଼ରେ ବସି ତାଙ୍କୁ ଏକ ଲୟରେ ଚାହିଁ ଥାନ୍ତି ।
ତିନି ଦିନ ପରେ ବିଶ୍ୱଜିତଙ୍କୁ ଟିକିଏ ଭଲ ଲାଗିବାରୁ ସେ ଅନୁପମାଙ୍କ ସହିତ ବସି କଥା ହେବାକୁ ଲାଗିଲେ । କେମିତି ଖବର ପାଇଲେ, କେମିତି ଆସିଲେ ସବୁ ବିଷୟରେ ଅନୁପମା ବିଶ୍ୱଜିତଙ୍କୁ ଜଣାଇଲେ । ହେଲେ ଏ କଣ, ଯେମିତି ବିଶ୍ୱଜିତ ଜାଣିଲେ ଯେ, ଅନୁ ଜଣେ ପୁରୁଷ ଶିକ୍ଷକଙ୍କ ବାଇକରେ ବସି ଆସିଥିଲେ ବୋଲି ଉତ୍ତେଜିତ ହୋଇ ଉଠିଲେ । ଚିତ୍କାର କରି କହିଲେ, "ମୁଁ ମରି ଯାଇଥିଲେ ମରି ଯାଇ ଥାନ୍ତି ହେଲେ ତୁମେ କାହିଁକି ଅନ୍ୟ ପୁରୁଷଙ୍କ ସହିତ ଆସିଲ" । ଅନୁପମା -"ତା ମାନେ ତୁମେ ମୋତେ ସନ୍ଦେହ କରୁଛ " ।
ତାଙ୍କ ପାଟି ଶୁଣି ନର୍ସିଙ୍ଗ ହୋମ କର୍ମଚାରୀ ମାନେ ଦୌଡ଼ି ଆସିଲେ । ଅନୁପମାଙ୍କୁ ଭାରି ଲଜ୍ଜା ଅନୁଭବ ହେଉଥାଏ ,ସ୍ୱାମୀଙ୍କର ଏପରି ବ୍ୟବହାର ପାଇଁ । ସେହି ଦିନ ଠାରୁ ବିଶ୍ୱଜିତ ଆଉ ଭଲ ଭାବରେ ଅନୁପମାଙ୍କ ସହ କଥା ହେଲେ ନାହିଁ । ପ୍ରତେକ କଥାରେ ବିରକ୍ତି ହେବା , ଉଚ୍ଚ ଗଳାରେ କଥା ହେବା । ଏ ସବୁ ଅନୁପମ।ଙ୍କୁ ଆଦୌ ଭଲ ଲାଗୁନଥାଏ । କିଛି ଦିନ ପରେ ଡାକ୍ତରଖାନାରୁ ବିଶ୍ୱଜିତଙ୍କୁ ନେଇ ଘରକୁ ଫେରିଲେ ଅନୁପମା । ଅନୁପମା ସ୍ୱାମୀଙ୍କର ଅଧିକରୁ ଅଧିକ ଯତ୍ନ ନେବାକୁ ଲାଗିଲେ । ଦିନେ ସ୍କୁଲର ଷ୍ଟାଫ ସହିତ ହିନ୍ଦୀ ସାର ବି ବିଶ୍ୱଜିତଙ୍କୁ ଦେଖିବାକୁ ଆସିଥିଲେ । ବିଶ୍ୱଜିତ ସୁଯୋଗ ପାଇ ସମସ୍ତଙ୍କ ସାମ୍ନାରେ ହିନ୍ଦୀ ସାରଙ୍କୁ ଅପଦସ୍ତ କଲେ । ଏ କଥା ଅନୁପମା ସହି ପାରିଲେ ନାହିଁ । ସ୍ୱାମୀଙ୍କୁ ବିରୋଧ କଲେ । ବାସ ,ଏତିକି କଥା । ଝିମିଟି ଖେଳରୁ ମହାଭାରତ ଭଳି କଥା ବଢିବାକୁ ଲାଗିଲା । ଛାଡପତ୍ର ପାଇଁ ଫାଇଲ କୋର୍ଟରେ ଦିଆଗଲା I ଆଉ ଶେଷରେ ୬ ମାସ ପରେ ଛାଡପତ୍ର ହୋଇ ଗଲା ।
୭ ବର୍ଷ ହୋଇ ଗଲାଣି ଅଲଗା ରହୁଛନ୍ତି ବିଶ୍ୱଜିତ ଆଉ ଅନୁପମା । ଝିଅ ବି ବାପାଙ୍କୁ ପସନ୍ଦ କରୁନି, ତେଣୁ ସେ ବି ମା ପାଖରେ । ଆଜି ଡ଼ିସେମ୍ବର ୩ ତାରିଖ ଅନୁପମା ଓ ବିଶ୍ୱଜିତଙ୍କର ୨୦ ତମ ବିବାହ ବାର୍ଷିକୀ ଏବଂ ଝିଅ ଦୀକ୍ଷାର ଜନ୍ମଦିନ । ହେଲେ କେହି ପାଖରେ ନାହାନ୍ତି ,କେବଳ ରହିଛି ସେମାନଙ୍କର ପୁରୁଣା ଫୋଟୋ କେତୋଟି ସେଇୟା କୁ ବାରମ୍ବାର ଦେଖି ଚାଲିଛନ୍ତି ସକାଳୁ ସକାଳୁ ବିଶ୍ୱଜିତ । ଶୀତ ସକାଳଟାରେ ବି ବିଶ୍ୱଜିତଙ୍କ କପୋଳ ଦେଶରେ ଅସଂଖ୍ୟ ଘର୍ମଵିନ୍ଦୁ । ବେଡ଼ ରୁମ୍ ର ଝରକା ପାଖରେ ଥିବା ଥୁଣ୍ଟା ଆମ୍ବ ଗଛଟା ଉପରୁ ଭାସି ଆସୁଥିବା ଡାମରା କାଉର କର୍କଶ ରାବ ଖୁବ ଅସହ୍ୟ ବୋଧ ହେଉଛି ତାଙ୍କୁ । ଅନେକ ଅସମାହିତ ପ୍ରଶ୍ନ ଗୁଡିକର ଉତ୍ତର ଖୋଜି ଚାଲିଛନ୍ତି ସେ ନିଜ ଭିତରେ । ହଠାତ ଟେଲିଫୋନ୍ ର କ୍ରିଙ୍ଗ କ୍ରିଙ୍ଗ ଆଵାଜ଼ରେ ନିଜକୁ ପ୍ରକୃତିସ୍ଥ କରି ନେଲେ ବିଶ୍ୱଜିତ... ।
ଜେଲ ରୋଡ, ନାଶିକ, ମହାରାଷ୍ଟ୍ର
