
ସେ ଜହ୍ନ ରାତିର କବିତା ଆସର
ଲାଗୁଥିଲା ସତେ ନୂଆ
ଜ୍ଞାନୀଙ୍କ ଗଣରେ ସାରସ୍ବତ ସ୍ମୃତି
ଥିଲା ଭାରି ମନଛୁଆଁ ।୧।
ଗାଇ ଥିଲି ସେଠି ମାତୃଭୂମି ପାଇଁ
ସୁନ୍ଦର ପଂକ୍ତିରୁ କିଛି
ଦେଶ ମମତାର ଅନ୍ତର ବେଦନା
ଭକତିରୁ ବାଛି ବାଛି ।୨।
କରତାଳି ମେଳେ ଉଛୁଳି ପଡିଲା
ଅଭୁଲା ସାହିତ୍ୟ ସଭା
ଅତିତର ସେହି ରକ୍ତ ରଞ୍ଜିତ
କହାଣୀ ତା ମନଲୋଭା ।୩।
କେତେ ବୀର ଏହି ପୂଣ୍ଯ ମାଟିରୁ
ଖେଳିଥିଲେ ରକ୍ତ ହୋଲି
ନିଜ ଜାତି ନିଜ ସନମାନ ପାଇଁ
ନିଜକୁ ଥିଲେ ସେ ଭୁଲି ।୪।
ପାଇକ ଗଡର ଇତିହାସ ସାଥେ
ଲାଲମାଟି ର କାହାଣୀ
ବିଜୟୀ ଉତ୍କଳ ପ୍ରଜାମେଳି ପୁଣି
ଜୟ ରାଜଗୁରୁ ବାଣୀ ।୫।
ଟାଙ୍କୁରି ଉଠିଇ ଶରୀରର ଲୋମ
ମନେ ପଡେ ଯଦି ମୋର
ଫିରିଙ୍ଗି ବିରୋଧେ ଅମର ବୀରଙ୍କ
ବିପ୍ଳବର ମହା ସ୍ଵର ।୬।
ଭିରୁ ନଥିଲେ ସେ ଥିଲେ ମହାଶକ୍ତି
ଭୁଲି ଯାଇଥିଲେ ନିଦ
ଗୋରାଙ୍କ ବକ୍ଷରେ ଭେଦକରି ଥିଲେ
ସଂଗ୍ରାମର ଶର ଭେଦ ।୭।
ବାଟବଣା ହୋଇ ଫେରି ଯାଇଥିଲେ
ଗୋରା ମାନେ ଏହି ଦେଶୁ
ପାଇ ନ ପାରିଲେ ଓଡ଼ିଆଙ୍କ ସୁତ୍ର
ନିଜ ଅଙ୍କ କଷୁ କଷୁ ।୮।
ଏହି ସେହି ମାଟି ପବିତ୍ର ଘାଟିର
ବାଣପୁର ମୁକସାକ୍ଷୀ
ଖୋର୍ଦ୍ଧା ଗଡର ଇତିହାସ ତାହା
ଦେଇଛି ସ୍ଵର୍ଣ୍ଣ ରେ ଲେଖି ।୯।
ଭୁଲି ପାରିବିନି ସେ ଆସର କଥା
ସେ ଅତୀତ ଜହ୍ନରାତି
ଶୁଭ୍ର ଜୋଛନାର ନିଆରା ମୂହୁର୍ତ୍ତ
ସୀମାହୀନ କବି ପ୍ରୀତି ।୧୦।
ଧ୍ରୁବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ, ଖୋରଧା
