ରାଷ୍ଟ୍ରୀୟ  ଏକତା ଦିବସ ମାନୁଛୁ
ଏକତାର ଗନ୍ଧ ନାହିଁ , 
ଚାରିଆଡେ ଖାଲି ହିଂସା ଆଉ ଇର୍ଷା
ସ୍ନେହ ଦୟା ଗଲା କାହିଁ II
ନିଜର ଦେଶର ନିଜେ ଆମେ ଶତ୍ରୁ
ଏକତା ଆସିବ କେଉଁଠୁ,
ପରିବାର ଏଠି ଖଣ୍ଡ ବିଖଣ୍ଡିତ
ଦେଶର ବିକାଶ ଚାହୁଁଛୁ II
ପରିବାରେ ନାହିଁ ସ୍ନେହ ପ୍ରେମ ଦୟା
ଏକତା ବିହୀନ ଘର,
ଏକ ଛାତ ତଳେ ରହୁ ସିନା ଆମେ
ଲାଗୁ କିନ୍ତୁ ସାତ ପର II
ଚାଷୀ ବିଷ ପିଏ ଛୁଆ ଭୋକେ ଶୁଏ
ନାରୀ ସହେ  ନିର୍ଯାତନା ,
କନ୍ୟା ଭୃଣହତ୍ୟା ହୁଏ ଘରେ ଘରେ
ବଂଚେ ଶିଶୁ ଶିକ୍ଷା ବିନା II
ବୃଦ୍ଧ ପିତାମାତା ଭିକ୍ଷା ମାଗି ଖା'ନ୍ତି 
ଆଶ୍ରମେ ଗୂଂଜନ୍ତି ମୁଣ୍ଡ,
ଶିକ୍ଷା ଦୀକ୍ଷା ପାଇ ପୁଅ ଝିଅମାନେ
ସାଜିଛନ୍ତି ଠକ ଭଣ୍ଡ II
ଭ୍ରଷ୍ଟାଚାର ଆଉ ଦୁର୍ନୀତି ଏଠି
ପାଦେ ପାଦେ ରାସ୍ତା ରୋକେ ,
ଚୋରି ଠକେଇରେ ଦେଶ ମୋ ବୁଡିଛି
ଅସହାୟ ଏଠି ଲୋକେ II
ଆମରି ଗୁଣରୁ ଆମକୁ ଶାସନ
କରିଗଲେ କେତେ ଜାତି ,
ବିଦେଶୀ ଆସିଲେ ଚାକର କରିଲେ
ଦୁଃଖ ଦେଲେ ଦିନ ରାତି II
କେତେବେଳେ ଜାତି କେତେବେଳେ ଧର୍ମ
କେତେବେଳେ ଧନ ନେଇ,
ଏକରୁ  ଅନେକ ହୋଇ ଯାଉ ଆମେ
ଆତ୍ମିୟତା ଭୁଲିଯାଇ II
ମଣିଷପଣିଆ ହରାଇ ବସିଛୁ
ଭଲମନ୍ଦ ବୁଝୁ ନାହୁଁ,
ନିଜ ସ୍ୱାର୍ଥରେ ଅନ୍ଧ ହୋଇ ଆମେ
ଅବାଟରେ ଯାହା ଧାଉଁ II 
ଦେଶର ବିକାଶ ଚାହୁଁ ଯଦି ଆମେ
ପ୍ରଥମେ ଶାନ୍ତିରେ ଜିଁବା,
ନିଜ ପରିବାରେ ଆନନ୍ଦ ଉଲ୍ଲାସେ
ଏକ ହୋଇ ଆମେ ଚଳିବା II
ପରିବାର ଯଦି ଅଖଣ୍ଡ ରହିବ
ଦେଶର ବିକାଶ ହୋଇବ,
ଶାନ୍ତି ମୈତ୍ରୀ ଏକତାକୁ ଆଣି
ଆମରି ପାଖରେ ଥୋଇବ II
ନିଜର ବିଚାର ଧାରାକୁ ସଭିଏଁ
ସମସ୍ତଙ୍କ ଆଗେ ଥୋଇବI,
ଏକଜୁଟ ହୋଇ ଦେଶର ମଙ୍ଗଳ
କଥା ମାନ ବସି ପାଞ୍ଚିବା II
ସାମାଜିକ ହୋଇ ଚଳିବା ସଭିଏଁ
ରହିବନି ମତଭେଦ ,
ଭାଇଚାରା ଆମ ବଢ଼ାଇ ଚାଲିବା
ଆସିବନି ପ୍ରତିରୋଧ II
ଦେଶ ବିକାଶରେ ଏକତାର ହାତ
ଯଥେଷ୍ଟ ରହିଛି ଭାଇ,
ଏକତା ହିଁ ବଳ ଏକତା ହିଁ ଶକ୍ତି
ଆମକୁ ନେବ ଆଗେଇ II
ମନରୁ ଫିଙ୍ଗିବା ଗର୍ବ ଅହଂକାର
ମମତା ଦେବାରେ ବିଞ୍ଚି ,
ଛୋଟ ବଡ କିଛି ବିଚାର ନ କରି
ଐକ୍ୟ ମନ୍ତ୍ର ଦେବା ଛିଂଚି II
ଏକରୁ ଅନେକ ଠିଆ ହେବା  ଆମେ
ପ୍ରାଚୀର ସାଜି  ଦେଶର ,
କେହି କେବେ ଆସି ଆଘାତ ଦେବେନି
ଦେଖି ଏକତାର ଅସ୍ତ୍ର II
ଏବେ ବି ସମୟ ଅଛି ତୁ ଉଠିଯା
ନିଦ ଭାଙ୍ଗି ତୋର ବେଗେ ,
ମୋ ଦେଶ ମୋ ଭାଇ ମୋ ଘର କହି
ମାଡି ଚାଲ ତୁହି ଆଗେ II
ମା ;ଆମ ହସିବ ଦେଖି  ଵୀର ପୁତ୍ର
ଗର୍ବରେ ଫୁଲାଇ ଛାତି ,
ସ୍ନେହାଶିଷ ଦେବ ମନ୍ତ୍ରମୁଗ୍ଧ ହେବ
ବରଷିବ ସୁଖ ପ୍ରୀତି II

ସସ୍ମିତା ସାହୁ
ନାଶିକ, ମହାରାଷ୍ଟ୍ର, ମୋ - ୯୪୦୩୦୪୪୬୭୯