ଆଖିରୁ ଲୁହ ପୋଛି ଦେଖ ହେ ଗାନ୍ଧୀ
ତୁମ ସ୍ୱପ୍ନର ଭାରତ
କେମିତି ଉଜୁଡି ଯାଇଛି...॥
ତୁମ ସତ୍ୟ ଅହିଂସାର ଅର୍ଘ୍ୟଥାଳି
ଲୁଚିଛି ଅହଙ୍କାରର ପାଉଁଶ ଗଦାରେ
"ତୁମ ଖଟି ଖାଅ କାଟି ପିନ୍ଧ" କହୁଛି
ତଣ୍ଟିକାଟି ରକ୍ତପିଅ..ଖଟାଇ ଖଟାଇ ଶୋଷ
ମୌଳିକ ଶିକ୍ଷାଟା ଦିବ୍ୟାଙ୍ଗ ପାଲଟିଛି
ମିଛ ପ୍ରମାଣପତ୍ରରେ ॥
"କର ବା ମର" ଚୁପି କହୁଛି
ମାରି ମାରି କରାଅ
ତୁମ ସ୍ୱଚ୍ଛତା  ପ୍ରଚାରରେ, କାଗଜ କଲମରେ
ମନ ଆତ୍ମା ଏ ଯାଏ ବି ଅସ୍ୱଚ୍ଛ
ଚଷମା ଭୁଲିଛି ଧର୍ମ ମୂମୂର୍ଷୁରେ॥
ମା, ମାଟି, ଗୋମାତା ଗୁରୁଙ୍କୁ ଅସମ୍ମାନ
ମାନବିକତା କାନ୍ଦୁଛି, ବନ୍ଦୀ ସ୍ୱାଭିମାନ
ଆଧ୍ୟାତ୍ମିକତା ପୃଷ୍ଠାଟା ଛିଡିଯାଇଛି
ପ୍ରହସନ ମଲାଟଟା ଛାତି ଫୁଲେଇଛି
ଶୁଷ୍କ ଭକ୍ତି ମନ୍ଦିରରେ॥
ତୁମ ଭ୍ରାତୃପ୍ରେମ-ବିଶ୍ୱପ୍ରେମ
ପ୍ରତିଦ୍ୱନ୍ଦିତା ସୁଅରେ ଆଜି ଉବୁଟୁବୁ
ନିଜତ୍ୱବିହୀନ ଶ୍ରେଷ୍ଠ ପିନ୍ଧିଛି କ୍ରୀତଦାସ ମୁକୁଟ
ଅକର୍ମା ଦେଖୁଛି ଦିବାସ୍ୱପ୍ନ କୁବେର ଆଖିରେ
ହେବାପାଇଁ ବିଶ୍ୱବିଜୟୀ ଆଲେକଜାଣ୍ଡାର୍
ଈର୍ଷାର ବଟବୃକ୍ଷତଳେ ଦୟାକ୍ଷମାର କୁଢ କୁଢ ଶବ
ଅଶାନ୍ତି ନିଶାରେ ଲୁଚିଛି ଶାନ୍ତି ପ୍ରତିମୂର୍ତ୍ତି ତଳେ॥
ହେ ଗାନ୍ଧୀ......
ଆସ ସେପାରିରୁ ପୁଣି ଥରେ
ଗଢ ସ୍ୱର୍ଣ୍ଣପ୍ରସୂ ଭାରତବର୍ଷ
ନ ଶୁଣୁ ଏ କାନ.....
ଗାନ୍ଧୀବାଦ ଆଜି କବର ତଳେ॥

ନାରାୟଣ ଚନ୍ଦ୍ର ସେନାପତି,
ସରକାରୀ  ଉ. ପ୍ରା.  ବିଦ୍ୟାଳୟ,  ଡିମିରିଆ,
ତେଲକୋଇ, କେନ୍ଦୁଝର, ପିନ୍ - ୭୫୮୦୧୯