
ନୀଳଚକ୍ର ନେତ ଉଡେ ଫରଫର
ନୀଳାଦ୍ରି ଠାକୁରଙ୍କର
ନିଶିଦିବସ ସେ ଡାକୁଛି ଭକ୍ତକୁ
ନିଜପର ନାହିଁ ତାର ॥
ନିତ୍ୟକର୍ମ ସାରି ପତିତପାବନ
ନିରେଖିଲି ବେନି ଡୋଳେ
ନିଶ୍ୱାସପ୍ରଶ୍ୱାସ ରୁଧକଲି ହୃଦେ
ନିତ୍ୟାନନ୍ଦ ପ୍ରେମ ଭୋଳେ ॥
ନିତ୍ୟ ଅବ୍ୟୟଙ୍କୁ ଉର୍ଦ୍ଦ୍ୱବାହୁକରି
ନିମଗ୍ନ ତା ଦିବ୍ୟନାମେ
ନିବିଡଭକ୍ତିରେ ନିବେଦନ କଲି
ନିରାକାର ଦିବ୍ୟଧାମେ ॥
ନିର୍ଣ୍ଣୟ କଲି ମୁଁ ନିର୍ଗୁଣ ପରମ
ନିରାଧାର ପୂର୍ଣ୍ଣବ୍ରହ୍ମ
ନିର୍ବାଣ ପ୍ରଦାନେ ରତ୍ନସିଂହାସନେ
ନିଶ୍ଚଳ ସେ ଦାରୁବ୍ରହ୍ମ ॥
ନିଶ୍ଚୟ ନିଷ୍ପାପ କରିବେ ନିର୍ମଳ
ନିଃସ୍ୱ ହୃଦୟକୁ ମୋର
ନିସ୍ତାରନାହିଁ ମୋ ପରି ପତିତର
ନିରଞ୍ଜନ ବାରେ ଧର ॥
ନିମିତ୍ତମାତ୍ର ମୁଁ ଭବେ ନିରୁପାୟ
ନୀଳାଞ୍ଚଳଧାମ ଲୀଳା
ନିଦର୍ଶନ କଲି ନିରୁପାଧିକୃପା
ନିକଟେ ଲାଗିଲା ଭେଳା ॥
ନିଶାଣକୁ ଚାହେଁ ନିତିପ୍ରତି ଯେବେ
ନିକୁଞ୍ଜବିହାରୀ ସତେ
ନିଜଞ୍ଜାଳି କରି ନିଖିଳସଂସାରେ
ନିର୍ମାଲ୍ୟ ପରଶେ ହାତେ ॥
ଶରତ ଚନ୍ଦ୍ର ଜାଲି, ପଥରା, ଖଲିକୋଟ
