କୁଆଁର ପୁନେଇଁ ଆସିଛି ଗାଆଁକୁ
ହସୁଛି କୁଆରୀ ମନ
ନୀଳ ଆକାଶରେ କେଡେ ସରାଗରେ
ହସୁଛି ପୁନେଇଁ ଜହ୍ନ ।

ରୁପା ଥାଳି ପରି ଜହ୍ନଟି ସୁନ୍ଦର
କିରଣ ଦେଇଛି ବୁଣି
ସେହି କିରଣର ଶୀତଳ ସ୍ପର୍ଶରେ
ମନକୁ ନେଉଛି କିଣି ।

ନବବସ୍ତ୍ର ଆଜି ପରିଧାନ କରି
କୁଆଁରୀ ଦେଉଛି ହସି
ବଉଳ ସଙ୍ଗାତ ସମସ୍ତେ ଏକାଠି
ଚାନ୍ଦକୁ ବନ୍ଧାନ୍ତି ମିଶି ।

ଚଉଁରା ମୂଳଟି ଫୁଲରେ ସଜେଇ
ଅଗଣା ପାଉଛି ଶୋଭା
କୁଆଁର ପୁନେଇଁ ଆକାଶଟି ସତେ
ଦିଶେ ଭାରି ମନଲୋଭା ।

ଝୁଣା ଧୂପ ଆଉ ଫୁଲ ଚନ୍ଦନରେ
ମହକି ଯାଉଛି ଗାଆଁ
ସତେକି ଯେମିତି ପ୍ରକୃତି ସୁନ୍ଦରୀ
ଦେଇଛିତା ମିଠା ଛୁଆଁ ।

ନିଆରା ନିଆରା ଲାଗୁଛି ଗାଆଁଟା
ଯୁଆଡେ ଦେଲେ ଅନେଇ
କାହିଁକିନା ଆଜି ଗାଆଁକୁ ମୋହର
ଆସିଛି କୁଆଁର ପୁନେଇଁ ।

ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର, ପ୍ରୀତିପୁର, ଯାଜପୁର