ଦେଖି ତୋର ଦର କଞ୍ଚା ସତ୍ୟର ସନ୍ଧାନ
ମିଥ୍ୟାର ଚାଦର ଘୋଡ଼େଇ
ନାଲି ଛକରୁ ଖଟିଖିଆର
ଜିନ୍ଦାବାଦ ଭିତରେ ଶୁଣେ ଯେବେ
ମଜୁରା ହିସାବର ଇଙ୍ଗିତ
ପଦାହତ ମନ ଆଇନାରେ
ନାମଟିଏ ନେଇ ଖୋଳତାଡ଼ କରେ
ବିବର୍ଣ୍ଣ ଦେହରେ ନୂତନତାର ସଉକ ।
ତୁ ଉଠିବୁ ଆଉଥରେ ଶୋଇବାକୁ
ଅନେକ ରଙ୍ଗର ତକ୍ତପୋସ ଧରି
ମଇଳା ପାଦରେ ଲେଖିଦେବୁ
ନିୟତିର ଦୁର୍ବାର ପରିଭାଷା
ବୁଝିବେନି କେହି
ଆଙ୍କୁଥିବୁ ଏକାଏକା
ପ୍ରଭାସ କ୍ଷେତ୍ରର ବୈଚିତ୍ର
ପାଇବୁନି ବିନ୍ଦୁଟିଏ ନିଜ ପାଇଁ
ଲୋଟିଯିବୁ ଅସହାୟେ
ଲଟାର ଆଶ୍ରୟେ ।
ଆଲୁଅର ଛିଟା ମାରିବୁ ପାଣି ଟିକେ ଢ଼ାଳି
ତୋ ଇତିହାସକୁ ଲୁଚେଇ
ଅବୁଝା ରହିଯିବୁ
ଅନନ୍ତର ଦୂରତାକୁ ମାପି
କାଳେ କେହି ପାରିବେନି ଲଘିଂ !
ଘାଇଲା ହୋଇଯେବେ
କରାଳ ତୁଛତାରେ ବିଦାରିତ ହେବୁ
ଦୃଷ୍ଟ ହେବ ପାପ ଚଉହଦି
ମଶାଣିର ଖୋଲା କବାଟରେ ।
ତଥାପି ରହିଯିବ କିଛି ଅବ୍ୟକ୍ତ
ମରମକୁ ଚିରି
ଖାସ୍ ତୋରି ପାଇଁ
ମରିଥିଲା ଜଣେ
ଅନ୍ୟର କାରଣେ
ଲେଖା ନାହିଁ ଶାସ୍ତ୍ରର କୋଣେ ଅନୁକୋଣେ ।
ପ୍ରଶାନ୍ତ କୁମାର ସାହୁ
ଛତ୍ରଗଡ଼, ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.