
ଅଶିଣ ଆକାଶେ ପୁନେଇଁ ଜହ୍ନ ଲୋ
କୁଆଁରୀ ମନର ଆଶା
ଜୋଛନା ଝରା ଏ ଶେଫାଳୀ ସେଜରେ
ପ୍ରକୃତି ଲେଖଇ ଭାଷା ।।
ଫୁଟି ଚହଟଇ ରୂପା ତାରା ଫୁଲ
ଆନମନା କରେ ମନ
ଅପାସୋରା ଏଇ ଅଭୁଲା ଏ ରାତି
କୁଆଁର ପୁନେଇ ଜହ୍ନ ।।
ସାଙ୍ଗ ସାଥି ମେଳେ କେତେ କୁତୁହଳେ
ତୁଳସୀ ଚଉରା ମୂଳେ
ଚାନ୍ଦ ବନ୍ଦାପନା ମନରେ କାମନା
କାହାପାଇଁ କିଏ କରେ ।।
ମନ ସରସୀ ରେ କାମନା କୁସୁମ
ମହମହ ହୋଇ ବାସେ
ସଉଭାଗ୍ୟ ବତୀ କୁଆଁରୀ ଆଖିରେ
ତାରା ମେଳେ ଜହ୍ନ ହସେ ।।
ଜହ୍ନି,କାକୁଡି ର କାଞ୍ଚନ ବରଣ
ଫୁଲେ ବନ୍ଦାପନା କରି
ଜହ୍ନ ଠୁ ସୁନ୍ଦର ମନର ମଣିଷ
କାମନା କରେ କୁମାରୀ ।।
ଗୀତ ଗାଏ ଫୁଲ ବଉଳ ବେଣୀ ଗୋ
ଲଳିତ ମଧୁର ସ୍ବର
ଦେବୀ ପଦ୍ମାଳୟା ବିଜୟ କରନ୍ତି
ଆଶିଷ ଘେନି ଅପାର ।।
ଏହି ଅପାସୋରା ପବିତ୍ର ଲଗନ
କୁଆଁର ପୁନେଇଁ ରାତି
ପ୍ରଫୁଲ୍ଲ ଫୁଲରେ ପୁଷ୍ପାଞ୍ଜଳୀ ଦେଇ
ମାଗିବା ରେ ଶୁଖ, ଶାନ୍ତି ।।
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
