ବିଶ୍ଵ ପାଳକ - ଘନଶ୍ୟାମ ସାହୁ

0

ବିଶ୍ଵ ପାଳକ ହେ.........
ଶୁଭୁନାହିଁ କି ମୋ ଡ଼ାକ
ବିପରୀତ କିମ୍ପା ହେଲ ମହାବାହୁ
କନ୍ଦାଉଛ ମୋତେ କାଳଯାକ । ।୦।
ବୋଝ ଦେଇଅଛ ସମ୍ଭାଳିବି ବୋଲି
ସଂସାରରେ ପରିବାରେ ରହି
ବାଧୁଛି ଜଞ୍ଜାଳ ସାହୁଙ୍କର ଗୋଳ
ହେଉନାହିଁ ଆଉ ଜମା ସହି
ବେଳେ ବେଳେ ହୁଏ ଅଣନିଃଶ୍ବାସୀ ମୁଁ
ସନ୍ତାପିତ ପ୍ରାଣ ଦକଦକ ।।୧।
ବଡ଼ ଦିଅଁ ତୁମେ ଆହେ ବିଶ୍ଵପତି
ଭରସା ଅଛି ମୋ ଶ୍ରୀଚରଣେ
ବିଧିର ବିଧାନ ପୂର୍ବଜନ୍ମ ଫଳ
ଭୋଗୁଅଛି ଭାବିନିଏ ମନେ
ବୁଝାଇ ଥାଏ ମୁଁ ନିଜେ ହିଁ ନିଜକୁ
ତୁମେ ତ ମୋ ଶରଣ ରକ୍ଷକ ।।୨।
ବନ୍ଦନା ଘେନ ହେ ଶ୍ରୀ ମଧୁସୂଦନ
ଯେତେ ଦୁଃଖ ଦିଅ ନାହିଁ ମନା
ବିଶ୍ୱାସ ମୋହର ଦେବନି ତୁଟାଇ
ନିନ୍ଦା ହେବ ତୁମ ବଡ଼ ବାନା
ବାରଣ ନକର ବାରେ ଦୟା କର
ଜୀବ ଯିବ ଦେଖି ତୋ ଶ୍ରୀ ମୁଖ ।।୩।

ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ--ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ:ଅ:  କିଶୋର ଗଞ୍ଜ ,ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର -- ୯୪୩୭୬୬୪୫୩୭,
ପିନ୍ କୋଡ -- ୭୫୯୧୨୭

Post a Comment

0Comments
Post a Comment (0)