ବର୍ଷା ମୋ ସାଥି - ପ୍ରଣତି ମହାପାତ୍ର

ଚଳଚଞ୍ଚଳ ପୃଥିବୀ ପୃଷ୍ଠ,
ସୁଗନ୍ଧିତ ମନ୍ଦ ମଳୟରେ
ସାରା ସଂସାରଟା ବାସ୍ନାୟିତ,
ପ୍ରଫୁଲ୍ଲିତ ଚିତ୍ତେ ବିହଗମାନଙ୍କର
ଗୃହବାହୁଡା,
ଖୁସି ମନରେ ହମ୍ବା ହମ୍ବା ରଡିରେ
ଗୋଠରୁ ଗୋରୁପଲ
ମାନଙ୍କର ଆଗମନ।
ଡିବିରି ଆଲୁଅରେ ଭାଗବତ ଟୁଙ୍ଗିରେ
ଭାଗବତ ପାଠ ସହ
ଗାଆଁର ଭଲମନ୍ଦ ଆଲୋଚନା।
କୂଳଭୂଆସୁଣୀ ମାନଙ୍କର ସଞ୍ଜ ସଳିତା,ପୁଣି ଘଣ୍ଟ ଘଣ୍ଟା ରେ
ଦେବାଦେବୀଙ୍କ ଆବାହନ।
ହଠାତ୍
ଅଥଳ ସାଗରରେ ଗଣ୍ଡଗୋଳ,
ଶୀତଳ ଯୁଦ୍ଧର ଡାକରା,
ମାଡି ଆସିଲା ମହାପ୍ରଳୟ।
ମନ ଉପବନରେ, ପୁଣି
ହୃଦ କନ୍ଦରରେ ଗୁଞ୍ଜରିତ
ହେଲା ଭୟ,
ଧରାପୃଷ୍ଠରେ ଦାନବଲୀଳା।
ନା ଥିଲା ଶ୍ରାବଣ, ନା ଥିଲା
ଖଣ୍ଡ ଖଣ୍ଡ ମେଘ ମାଳର କଳାବଉଦ,
ହେଲେ ସୁ ସୁ ମଳୟ ଗର୍ଜନ ରେ
ସୁନେଲି ସପନ ଗୁଡା
ଧଡ୍ ଧାଡ଼୍ ଭାଙ୍ଗିଯାଉଥିଲା।
ପରେ ପରେ ଅବିରତ
ଧାରା ଶ୍ରାବଣର ବାରିଧାରା।
ଫେରି ଚାହୁଁଥିଲି ଦୀର୍ଘ
୩୦ବର୍ଷ ତଳର ଅତୀତକୁ,
ରୋମନ୍ଥନ ପରେ ଚାଲିଲି
ହାତରେ କାଗଜର ଡଙ୍ଗା ଧରି ।
ଚାଳର ରଙ୍ଗୀନ ପାଣିରେ
ଭସାଇ ଦେଉଥିଲି ,
ଗୋଟେ ପରେ ଗୋଟେ
କାଗଜ ଡ଼ଙ୍ଗା,
କାଗଜ ଡ଼ଙ୍ଗା ।
ବର୍ଷା ରେ ଭିଜି ଭିଜି ଚାଲି ଚାଲି
ସାଉଁଟୁ ଥିଲି ଶୈଶବକୁ।
ଲାଗୁଥିଲା ଯେମିତି ଏ ବର୍ଷା
ଏ ବର୍ଷା ବହୁଳେ ସୃଷ୍ଟି ନାଶ
ଅବା ଖିନ୍ ଭିନ୍ ହୋଇଥିବା
ମୋ ହୃଦୟ ଭଳି,
ଫେରାଇ ଆଣେ ମୋ ଅତୀତକୁ
ଜଡ଼ିତ ବର୍ଷା ସହ ମୋ
ଜୀବନ ନଉକା।
ଏ ବର୍ଷା ମୋ ପହିଲି ପ୍ରେମର ସ୍ମୃତି, ମୋ ପ୍ରଥମ ଯୌବନ ର ମାଦକତା,
ତା ଅପୂର୍ବ ଛୁଆଁରେ ମୋ ତନୁମନ ପୁଲକିତ ଆଉ ଅପୂର୍ବ
ଶିହରଣ ର ବାସ୍ନା।
ଏହି ବର୍ଷା ହିଁ ମୋ ସୁଖ ,ଖୁସି ଓ
ମୋ ଅଭୁଲା ସ୍ଵପ୍ନ।
ମୋ ବାଲ୍ୟ,ଶୈଶବ,କୈଶୋର
ପୁଣି ଏବେ ମୋ ବାର୍ଦ୍ଧକ୍ୟ
ସହ ତାଳ ଦେଉଛି।
କାରଣ ସେ ପରା ମୋ ଚିରସାଥୀ।
ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର
ଫକୀରମୋହନ ନଗର, ବାଲେଶ୍ଵର