
ଆସ ଆସ ମା ଅଭୟା
ବିଶ୍ବ ଜନନୀ ଦୁଃଖ ନାସିନୀ ,ଦେବୀ ଦୁର୍ଗେ ମହାମାୟା
ଆସ ଆସ ମା ଅଭୟା …।।
ଶାରଦୀୟ ଶୁଭ ବାସରେ ଜନନୀ
ତୋର ନିରାଯନା ପାଇଁ ଏ ଧରଣୀ
କେଡେ ମନୋହର ରୂପକୁ ତାହାର , ସଜାଇ ହୋଇଛି ଠିଆ
ଆସ ଆସ ମା ଅଭୟା…।।
ଶଶ୍ୟ ଶ୍ୟାମଳା ବରଣା କାଶ୍ୟପୀ
ଉତ୍କଣ୍ଠିତ ଚିତ୍ତେ ଆଗୋ ମହାଦେବୀ
ହୋମ,ଜଜ୍ଞ,ମନ୍ତ୍ର ବ୍ରାହ୍ମଣ ପଣ୍ଡିତ , ଡାକନ୍ତି ଆସ ବିଜୟା
ଆସ ଆସ ମା ଅଭୟା…।।
ଶାର୍ଦ୍ଦୁଳ ବାହାନେ ଦେବୀ ଦଶଭୁଜା
ସଙ୍ଗେ ଘେନି ପଦ୍ମା,ଶାରଦା ବିରଜା
ହୁଅ ବିରାଜିତ ଡାକନ୍ତି ଭକତ , ବିସ୍ତାରି ତୋହର ମାୟା
ଆସ ଆସ ମା ଅଭୟା…।।
ଶକ୍ତିଧର, ଦୈମାତୁର ଯୁଦ୍ଧବେଶେ
ବ୍ରହ୍ମା,ବିଷ୍ଣୁ, ଶିବ ଅଛନ୍ତି ତୋ ପାସେ
ଦୈବୀ ଶକ୍ତି ବଳେ ଏ ମହୀ ମଣ୍ଡଳେ , ବିତରିଦେ ତୋର ଦୟା
ଆସ ଆସ ମା ଅଭୟା…।।
ବିକଟ ରାକ୍ଷସ ମହୀଷା ଅସୁର
ଧାର୍ମୀୟ ଭାବନା କରେ ଛାରଖାର
ଦୁଃଖ ବଢେ ବଢେ ପାପର ଉତ୍ପାତ , ତ୍ରାହି କର ଯୋଗମାୟା
ଆସ ଆସ ମା ଅଭୟା…।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
