
ବିଶ୍ୱାବସୁ ନର ଜାତିରେ ଶବର
ଘୋର ଜଙ୍ଗଲରେ ରହି,
ନୀଳ ମାଧବଙ୍କୁ ପୂଜା କରୁଥିଲା
ଭକ୍ତି ଅର୍ଘ୍ୟ ବାଢିଦେଇ....
ରାଜା ଇନ୍ଦ୍ରଦ୍ୟୁମ୍ନ ପାଇ ଏ ସନ୍ଧାନ
ବ୍ରାହ୍ମଣଙ୍କୁ ଆଦେଶିଲେ
ଆହେ ବିଦ୍ୟାପତି ଶୀଘ୍ର ଏହି ଉକ୍ତି
ଚିହ୍ନଟ ଯଥା ବାହୁଲ୍ୟେ....
ଅନୁସନ୍ଧାନରେ ଅନବରତ ଯେ
ବିଦ୍ୟାପତି ଥିଲେ ରତ
ଫଳ ହେଲା ବ୍ୟର୍ଥ ନହେଲା ଉନ୍ମୁକ୍ତ
ଚତୁରେ ହେଲେ ବିଶ୍ୱସ୍ତ...
ବିଶ୍ୱାବସୁଙ୍କର ବିଶ୍ୱାସ ଭାଜନେ
କନ୍ୟା ଲଳିତାଙ୍କୁ ବାହା
ମିଳିବ ସନ୍ଧାନ ସେ ହେତୁ ବନ୍ଧନ
ବାନ୍ଧିଲେ ସମ୍ପର୍କ ନୂଆ...
ଏ ରହସ୍ୟ ରୂଢେ ସମ୍ପର୍କ ସୁଦୃଢେ
ଅନୁରୋଧ ରକ୍ଷାକରି
ନୟନର ବାନ୍ଧି ଅନ୍ଧର ପୁଟୁଳି
ସ୍ଥାନ ଦେଲେ ଠାବ କରି....
ବିଦ୍ୟାପତି ଥିଲେ ଚତୁର ଚମ୍ପତ୍ତି
ଚିହ୍ନଟିବ ପୁନଃ ସ୍ଥାନ,
ବୁଦ୍ଧିକୁ ଭିଆଣି ଶୋରିଷକୁ ବୁଣି
କରିନେଲେ ଆକଳନ....
ରାଜା ଇନ୍ଦ୍ରଦ୍ୟୁମ୍ନ ହେଲେ ଖୁସି ମନ
ସ୍ଥାନର ଠିକଣା ଶୁଣି
ନୀଳମାଧବଙ୍କ ଦର୍ଶନାର୍ଥେ ସାଜ
ଫାଟିଲା ଫୋଟକା ପାଣି....
ଶେଷେ ଦିବ୍ୟ ସ୍ୱରେ ନୀଳ ସିନ୍ଧୁ ତୀରେ
ମନ୍ଦିର ନିର୍ମାଣ କଲେ
ଭବ୍ୟ ମନ୍ଦିରର ନିର୍ମାଣର ଅନ୍ତେ
ବିଗ୍ରହେ ଚିନ୍ତିତ ହେଲେ...
ବିଗ୍ରହ ନିମନ୍ତେ ବୁଢା ମହାରଣା
ହୋଇଲେ ନିଜେ ନିଯୁକ୍ତ
ରହସ୍ୟମୟ ସେ ସର୍ତ୍ତ ରଖିଥିଲେ
ଶୁଣି ଥରିଉଠେ ଚିତ୍ତ....
ଏକୋଇଶ ଦିନ ସର୍ତ୍ତରେ ରାଜନ
ରାଜି ହେଲେ କଷ୍ଟମଷ୍ଟେ
ବିନା ଜଳପାନେ ଆହାର ଭୋଜନେ
କେମିତି ରହିବ କଷ୍ଟେ !
ଗମ୍ଭୀରା ଭିତରେ ରହି ରୁଦ୍ଧଦ୍ବାରେ
କରୁଥାଇ ଠକ ଠକ
ପନ୍ଦର ଦିବସେ ଶବଦ ନଆସେ
ରାଣୀ ମନ ଦକଦକ....
ରାଣୀଙ୍କ ଆଦେଶେ ଖୋଲିବାକୁ ଶେଷେ
ନରପତି ବାଧ୍ୟ୍ୟହେଲେ
ଫିଟିଲା କବାଟ ଇଏକି ବିଭ୍ରାଟ
ଚମତ୍କୃତେ ରହିଗଲେ....
ଅଧାଗଢା ଦିଅଁ କାଠମୁଣ୍ଡା ଦେହ
ଅଧା ହାତ ଗୋଡ ନାହିଁ
ତିନିଟି ମୁରତି ଏକାପରି ସ୍ଥିତି
ତରାଟି ଅଛନ୍ତି ଚାହିଁ ....
ଭୂମିପରେ ଥିଲା ନିହଣ ମୁଗୁର
ମହାରଣା ଅନ୍ତର୍ଦ୍ଧାନ
ରାଜା ଇନ୍ଦ୍ରଦ୍ୟୁମ୍ନ ହୋଇଣ ମଉନ
ଧିକ୍କାରନ୍ତି ନିଜ କର୍ମ....
ଏକିହେଲା ପ୍ରଭୁ କିବା ଅପରାଧ
ଅଜାଣତେ ହେଲା ଦୋଷ
ଅଧାଗଢା ଦେହ କେମିତି ପୂଜିବି
ରହିଗଲା ଅବଶୋଷ....
ଅପରାଧ କ୍ଷମ ଆହେ ଆଦି ବ୍ରହ୍ମ
ତୁମ୍ଭେ ତ' ଦୟା ସାଗର
ତୁମ୍ଭବିନୁ ସତ୍ତା ଅଛି କିବା ମୋର
ଧିକ ଯଶକୀର୍ତ୍ତି ମୋର....
ଦରଦୀ ହୃଦୟ ଆକୁଳିତ ସ୍ବର
ଶୁଣି ସେଇ ଦେବରାୟ
ଶୂନ୍ୟ ବାଣୀ କରି ଆଦେଶିଲେ ପ୍ରଭୁ
ନକର ମନ ଅଥୟ ....
ସ୍ବଇଚ୍ଛାରେ ମୁହିଁ ଗଢିଲି ମୋ'ଦେହ
ଦୋଷୀ ଏଠି କେହି ନାହିଁ,
କଳିଯୁଗେ ମୋର ଏହିରୂପ ଜାଣ
ଶ୍ରୀ ମନ୍ଦିରେ ଥିବି ରହି....
ଦରଗଢା ସେଇ ବିଗ୍ରହଙ୍କୁ ନେଇ
ନୀଳଶଇଳରେ ଥୋଇ
ଭକ୍ତେ ହେଲେ ପ୍ରୀତ ଉତ୍କଳେ ବିଖ୍ୟାତ
ସବୁ ହୃଦ ଗଲା ଛୁଇଁ....
ସନ୍ତୋଷ ପଟ୍ଟନାୟକ
ବେଗୁନିଆପଡା ବ୍ଳକ୍, ତିରିଡା, ଗଞ୍ଜାମ
ମୋ - 8866359211
