
ଦୀର୍ଘ ଦିନର ନୀରବତା ପରେ
ଖୋଜି ଦେଲ ମୋର ଠିକଣା
ମୋ ଖୁସି ଲଭିଲା ଅସୀମ ସାଗର
ହୋଇ ଗଲି ଆନମନା ॥୧॥
ମୋ ଜୀବନ ର ମାଟି ଆକାଶରେ
ଖେଳେ ତୁମ ପ୍ରେମ ବାସ୍ନା,
ଭୁଲି ଯାଇଛି ମୁଁ ଆଜି ନିଜକୁ
ଏକା ଲାଗେ ତୁମ ବିନା ॥୨॥
ମୁଁ ଆଜି ସାଜିଛି ପାଗଳ ଭଅଁର
ତୁମେ ସଜ ପାରିଜାତ,
ସାଉଁଟି ନିଅନ୍ତି ତୁମ ଓଠର ହାସକୁ
ମଣି ମୁକ୍ତା ସତେ ଲିପ୍ତ ॥୩॥
ତୁମ ଚାହାଣି ର ପ୍ରଥମ କିରଣେ
ହୁଏ ମୋ ନବ ସକାଳ,
ପ୍ରତି ମୁହୂର୍ତ୍ତରେ ଖୋଜେ ଦିନ ସାରା
ରାତ୍ରେ ଖୋଜେ ତୁମ କୋଳ ॥୪॥
ତୁମରି ଛୁଆଁ ରେ ବର୍ଷି ଯାଏ ମନେ
ଅବିରତ ବାରି ଧାରା,
ତୁମେ ସାଥେ ଥିଲେ ଚାଲି ଯିବି ପଥ
ଥିଲେ ଥାଉ ନିଦାଘ ଖରା ॥୫॥
ଯେତେ ଦେଖୁଥିଲେ ଆଖିକୁ ତୁମର
ନଜର ଯେ ଫେରେ ନାହିଁ,
କୁହୁକ ପରିକା ଦୁଷ୍ଟ ତୁମ ହସ
ଏତେ ଅପାସୋରା କାହିଁ ॥୬॥
କବି ବୋଲି ଭାବି ନିଜକୁ କେବେ ବି
ଚାହେଁ ପ୍ରସଂସିବି ମୋ କାବ୍ୟ ରେ,
ହୃଦୟ ଉଦବେଗ ପାଏ ନାହିଁ ଭାଷା
ହଜି ଯାଏ ତୁମ ଭାବନାରେ ॥୭॥
ତୁମରି ନାଁ, ଓ ତୁମରି ପ୍ରଶଂସା
ମନ ହେଉଥାଏ ଘୋଷି,
ପ୍ରେମ ରାଇଜରେ ରାଜା ରାଣୀ ଦୁହେଁ
ଆମ ପ୍ରେମ ବାର ମାସୀ ॥୮॥
ଜାଣି ପାରୁନି ମୁଁ ହଜିଛି କେଉଁଠି
ଏଇ ଅଛି ଏଇ ନାହିଁ,
କାରଣ ନ ଥାଇ ତଥାପି ହସୁଛି
ଏ ସବୁ ତୁମ ପାଇଁ ॥୯॥
ଉଦାସୀନ ମୋର ଛୋଟ ଦୁନିଆ ରେ
ତମେ ଯେ ହସ ର ଭାରା,
ତୁମେ ଥାଓ ଯେବେ ମୋ ସାଥିରେ
ଭୁଲି ଯାଏ ଏ ଧରା ॥୧୦॥
ପ୍ରତି ସ୍ୱପନେ ଏବେ ତୁମେ ଗୋ ଭରୁଛ
ଭବିଷ୍ୟ ର ଟିକି ଆଶା,
ଆମେ ଦୁହେଁ ଏକ ଅଜଣା ରାଇଜେ
ଗଢିଛେ ଖୁସିର ବସା ॥୧୧॥
ଲିପୁ ଲିପା
ମହାକାଳପଡ଼ା, କେନ୍ଦ୍ରାପଡ଼ା
