ପ୍ରେମକୁ ହଜାଇ ପୁନଶ୍ଚ ଖୋଜନ୍ତି
ପ୍ରେମିକ,ପ୍ରେମିକା ଯେବେ
ହୃଦୟରେ କେତେ କ୍ଲାନ୍ତି,ବୁଝିବାକୁ
ଇଚ୍ଛା ନକରନ୍ତି କେବେ ॥
ମାଟିକୁ ବିଦାରି ସିନ୍ଧୁରେ ମିଶିବା-
ପାଇଁ ଧାଉଁଥିବା ନଦୀ
ଜାଣି ସେ ପାରେନା ଜଳେ ଆଘାତର
କେତେ କ୍ଲାନ୍ତି ଅଛି ଭେଦି ?
ମହା ଶୂନ୍ୟତାରୁ ଈଶ୍ୱରଙ୍କୁ ଆବା-
ହନ କରୁଥିବା ଭକ୍ତଟି
ଅନୁମାନ କରିପାରେ ନାହିଁ ତା'ର
ବିଶ୍ୱାସରେ କେତେ ଯେ କ୍ଲାନ୍ତି ?
ସର୍ବବୃହତ ପ୍ରସବ ଯନ୍ତ୍ରଣାକୁ
ସହିପାରୁଥିବା ନାରୀଟି
କହି ପାରେନା ତା'ଶିରାପ୍ରଶିରାରେ
କେତେ ଯେ ରହିଅଛି କ୍ଲାନ୍ତି ?
ଅନିଚ୍ଛାକୃତ ମୋହରେ ପଡି ଘର-
କାମ କରୁଥିବା ବୁଢାଟି
ଆକଳନ କରିପାରେନାହିଁ ତା'ର
ଆତ୍ମା ଭିତରେ କେତେ କ୍ଲାନ୍ତି?
ପ୍ରକୃତି କରାଳ ପ୍ରହାର ସତ୍ତ୍ୱେ
ଏକୁଟିଆ ଠିଆ ବୃକ୍ଷଟି
କହିପାରେ ନାହିଁ ଗଣ୍ଡିଟିରେ ତା'ର
କେତେ ଯେ ରହିଅଛି କ୍ଲାନ୍ତି ?
ଅନେକ ଦୂରରୁ ଉଡି ଆସିଥିବା
ଚଢେଇଟି କ୍ଷୁଦ୍ର ଦାନାପାଇଁ
ଡେଣାରେ ତାହାର କେତେ ଯେ କ୍ଲାନ୍ତି
କାହାରିକୁ ବୁଝାଏତ ନାହିଁ ॥
ଅଜାଣତେ କ୍ଲାନ୍ତି ଆପଣାର ହୁଏ
ଥାଏ ବୋଲି କିଛି ପରିତୃପ୍ତି
କ୍ଲାନ୍ତି ଚିରକାଳ ଅଦୃଶ୍ୟର ଏକ
ଅବ୍ୟକ୍ତର ଛୋଟ ଅନୁଭୂତି ॥
ଶରତ ଚନ୍ଦ୍ର ଜାଲି
ପଥରା, ଖଲ୍ଲିକୋଟ, ଗଞ୍ଜାମ
କ୍ଳାନ୍ତି - ଶରତ ଚନ୍ଦ୍ର ଜାଲି
September 03, 2018
0
