ଅଶିବନାଶନ ହରି - ରମେଶ ଚନ୍ଦ୍ର ମିଶ୍ର

0
ଅଳି ଶୁଣିମା ହେ, ଅଶିବ ନାଶନ ହରି
ଅରି ବେଳୁବେଳ ସେଲେଣି ପ୍ରବଳ
ଅପସର ଦଇତାରୀ ।୦

ଅନ୍ତର୍ଗତ ଭାବ ଜାଣ ବୋଲି ତୁମେ
ଅନ୍ତର୍ଯ୍ୟାମୀ ନାମ ବହ
ଅପରିମିତ ଏ ଜୀବନ ଯାତନା
ଅସରା କଷଣେ ଦେହ
ଅସହ୍ୟ ହେଉଛି ରଖ ମହାବାହୁ !
ଅଶରଣ କୃପାକାରୀ ।୧

ଅତଳତଳ ଏ ସଂସାର ବାରିଧୀ
ଅବାଧରେ ଭାସିଯାଏ
ଅମା ଅନ୍ଧକାରେ ରାହା ପାଏନାହିଁ
ଅପାରଗ ମୁଁ ଯେ ହୁଏ
ଅନୁକମ୍ପା କରି ନାବ ଦିଅ ବେଗେ
ଅନାୟାସେ ହେବି ପାରି ।୨

ଅନାସକ୍ତ କରି ଗଢିଦିଅ ମୋତେ
ଅନିଶ ତୁମରି ନାମ
ଅନ୍ତରେ ମୋର ଗୁଞ୍ଜରି ଉଠୁ
ଅଧୀନ ହେଉ ଏ ମନ
ଅଧିଷ୍ଠିତ ହୁଅ ହୃଦ କନ୍ଦରେ
ଅକିଞ୍ଚନେ ଦୟାକରି ।୩


ରମେଶ ଚନ୍ଦ୍ର ମିଶ୍ର,
ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ

Post a Comment

0Comments
Post a Comment (0)