ପାହାଡ଼ ପଛେ ଲୁଚିଲେ ଯାଇ
ସୂରୁଯ ଦେବ ବେଗେ
ଗୋଠକୁ ନେଇ ଘରକୁ ଫେରେ
ଗାଈଆଳଟି ଆଗେ। ।
ପକ୍ଷୀଟି ଫେରେ ବସାକୁ ତାର
ହୋଇଲେ ସଂଜ ପରା
କେଡ଼େ ସୁନ୍ଦର ସଂଜ ଆକାଶେ
ଦିଶେ ସଂଜୁଆ ତାରା ।
ହସେ କେତକୀ ହସେ ମାଳତୀ
ହସେ ରଙ୍ଗଣୀ ଫୁଲ
ଗହୀରୁ ଫେରେ ଦନେଇ କାକା
ଫିଟେଇ ତାର ହଳ ।
ଚଉରା ମୂଳେ ବୋଉ ଦିଅଇ
ସଂଜ ବତୀକୁ ଜାଳି
ପୁରାଣ ପଢେ ନିଧିଆ ନନା
ଗଡେଇ ଜପା ମାଳି ।
ଗହଳି ଶୁଭେ ଚାହାଳି ଆଡୁ
ପିଲାଙ୍କ ପାଠ ଘୋଷା
ସନା ଗୁରୁଜୀ ବେତ ପାହାର
ତା ସାଥେ ଅଙ୍କକଷା। ।
ଦାଣ୍ଡପିଣ୍ଡାରେ ବୁଢ଼ା ବୁଢ଼ୀଙ୍କ
ଗପ ଆସର ଜମେ
ଘର ଭିତରେ ଧିଆନେ ଥାଏ
ମାଆତା ନିଜ କାମେ ।
ପାହାଡ଼ ପାଣି ବିଷ ଅମୄତ
ଚାଲେ ପିଲାଙ୍କ ଖେଳ
ଗାଆଁ ଦାଣ୍ଡଟା ପଡଇ ଫାଟି
ଶୁଭଇ କୋଳାହଳ। ।
ବେଳ ବୁଡ଼ିଲେ କିଆଗୋହୀରୁ
ବିଲୁଆ ରଡି ଛାଡେ
ମାଛି ଅନ୍ଧାରେ ବାହୁଙ୍ଗା ତଳୁ
ଜହ୍ନଟି ମୁହଁ କାଢେ ।
ପ୍ରକାଶ କୁମାର ଚାନ୍ଦ, ଜୟପୁର ଶାସନ, ପିପିଲି, ପୁରୀ
ମୋ-୯୮୫୩୩୫୪୯୩୮/୭୦୦୮୯୨୫୯୫୪
ମୋ ଗାଆଁରେ ସଂଜ - ପ୍ରକାଶ କୁମାର ଚାନ୍ଦ
August 31, 2018
0
