ରଥଯାତ୍ରା - ପ୍ରଭାତୀ ଦେବନାଥ

0
ଆଷାଢ଼ ମାସର ଶୁକ୍ଳ ଦ୍ବିତୀୟାରେ
ପଡ଼ିଥାଏ ରଥଯାତ୍ରା,
ରଥଯାତ୍ରା ବୋଲି ଏ ବିଶ୍ବ ଜାଣଇ
ଏଇତ ଜୀବନ ଯାତ୍ରା ।।
ଆଗରେ ଚାଲନ୍ତି ପ୍ରଭୁ ବଳଭଦ୍ର
ମଝିରେ ସୁଭଦ୍ରା ମାଆ,
ପଛରେ ମୁଣ୍ତକୁ ହଲାଇ ହଲାଇ
ଆସୁ ଥାନ୍ତିଟି କାଳିଆ ।।
ପହଣ୍ତି ପହଣ୍ତି ତିନୋଟି ରଥରେ
ଦେଖନ୍ତି ଦୁନିଆ ସାରା,
ମାଉସୀ ମାଆ ଘରେ ଯିବାକୁ ସେମାନେ
ଲୀଳା ରଚନ୍ତି ନିଆରା ।।
ତାଳଧ୍ବଜ ରଥେ ପ୍ରଭୁ ବଳଭଦ୍ର
ଅଗ୍ରଜ ବୋଲିଣ ଆଗେ,
ଦର୍ପଦଳନ ରଥେ ଦେବୀ ସୁଭଦ୍ରା
ମଝିରେ ମନ୍ଥର ବେଗେ ।।
ନନ୍ଦୀଘୋଷ ରଥେ ଜଗତର ନାଥ
ଆସନ୍ତି ପଛରେ ଝୁଲି,
ଦର୍ଶନ ନିମନ୍ତେ ଭକତ ମାନଙ୍କ
ହୁଅଇରେ ପେଲ।ପେଲି ।।
ନବଦିନ ଯାତ୍ରା ଭାଇ ଭଉଣୀଏ
ଖୁସିରେ ମାଉସୀ ଘରେ,
ଲକ୍ଷ୍ମୀଦେବୀ ଏକୁଟିଆ ମନ୍ଦିରରେ
ଜଳନ୍ତି ଅଭିମାନରେ ।।
ହେରା ପଞ୍ଚମୀର ଶୁଭ ଦିନେ ମାତା
କାଳିଆ ପାଖେ ଆସନ୍ତି,
ମନରେ ଥିଲା ଯେତେ ଅଭିମାନ
ଭର୍ସନା କରି ବୁଝାନ୍ତି ।।
ପ୍ରଭୁ ଜଗନ୍ନାଥ ସହ୍ୟ କରି ସବୁ
ମାତାଙ୍କୁ କ୍ଷମା ମାଗିଲେ,
ଲକ୍ଷ୍ମୀ ମାଆଙ୍କର ନ ଥମିଲା ରାଗ
ରଥ କାଠ ଭାଙ୍ଗିଦେଲେ ।।
ଲୀଳାମୟ ହରି କେତେ ଲୀଳା କରେ
ଭକତେ ଚାହିଁ ରହିଲେ,
ନବଦିନ ଯାତ୍ରା ଉପଭୋଗ କରି
କାଳିଆକୁ ପ୍ରଣମିଲେ ।।


ଶ୍ରୀମତୀ ପ୍ରଭାତୀ ଦେବନାଥ (ଜିଲ୍ଲା ପୁରସ୍କାରପ୍ରାପ୍ତ ଉତ୍ତମ ଶିକ୍ଷୟିତ୍ରୀ)
ଗୋତିଗୁଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉମରକୋଟ,
ଜିଲ୍ଲା- ନବରଙ୍ଗପୁର, ଓଡ଼ିଶା-764073, ଦୂରଭାଷ-୯୯୩୮୬୯୨୫୨୫

Post a Comment

0Comments
Post a Comment (0)