ବର୍ଷା - ଯଶୋଧାରା ପ୍ରହରାଜ

0
ମୁଁ ବର୍ଷା .....
ନିଦାଘର ଦାରୁଣ୍ୟ ରୁ
ସୃଷ୍ଟ ନଭୋରେଣୁ ରୂପେ
ଘନୀଭୂତ ହୋଇ ଅମ୍ବରର
ବିସ୍ତୀର୍ଣ୍ଣ ଗାଲିଚାରେ
ଭ୍ରମୁଥାଏ କାଦମ୍ବିନୀର
ସ୍ଫୀତ ବକ୍ଷରେ ....

ମୁଁ ବର୍ଷା ....
ଝରିପଡ଼େ ଆଦ୍ୟ ଆଷାଢ଼ରେ
ରିମ୍ ଝିମ୍ ରାଗିଣୀ ରେ
ବିଜୁଳି ର ରୋଷଣୀ ରେ
ବଜ୍ରନାଦର ଘର୍ଘର ନାଦରେ ...
ପୋଛିଦିଏ ଧରାର ଉତ୍ତପ୍ତ ଛାତିକୁ
ଓଦା ଓଦା ମୋ ପଣତ କାନିରେ
ଭିଜାଭିଜା ମାଟିର ବାସ୍ନାରେ
ବୁଝିଯାଏ ତା' ତୃପ୍ତିର ଭାଷା କୁ ....

ଧୋଇଦିଏ ଧୂସର ଧୂଳିର ଆସ୍ତର
ଜମିଥିବା ରାସ୍ତାଘାଟ ,କୋଠା ବାଡ଼ି
ବୃକ୍ଷଲତା ପ୍ରାଣୀ ଜଗତରେ...
ଟୁପ୍ ଟାପ୍ ମୋ' ଆସିବାର ଶବ୍ଦରେ
ମୌସୁମୀ ର ଆସନ୍ତା ଖବରେ
ଖେଳିଯାଏ ହସଧାରେ
କେତେକେତେ ସନ୍ତପ୍ତ ଓଠରେ ...

ମୁଁ ବର୍ଷା ...
ମୋ' ଉପସ୍ଥିତି ରେ
ଲେସିଦେଇ ଚେନାଏ ଆଶା
ଲିଭିଆସୁଥିବା ବିକଳ ପ୍ରାଣରେ ,
ଭରିଦେଇ ସବୁଜିମା ଧରଣୀ ବକ୍ଷରେ
ମୁଁ ବୋହିଯାଏ କଳକଳ ଧାରଟିଏ ହୋଇ
ମୋ' ଉଦ୍ଦିଷ୍ଟ ପଥରେ ...
ହୋଇଯାଏ ଏକାକାର
ନାଳରେ , ନଦୀରେ, ଅର୍ଣ୍ଣବରେ
ପୁଣିଥରେ ବାଷ୍ପୀଭୂତ ହୋଇ
ଥାଏ ଜଳଚକ୍ରରେ
ନଭଶ୍ଚୁମ୍ବୀ ହେବାର ଆଶାରେ ....


ଯଶୋଧାରା ପ୍ରହରାଜ
ଡି-୧୭/୬, ରେଣ୍ଟାଲ କଲୋନୀ
ବରମୁଣ୍ଡା, ଭୁବନେଶ୍ୱର

Post a Comment

0Comments
Post a Comment (0)