ବାଜଇ ଶଂଖ ମହୁରୀ , ଟମକ ନିଶାଣେ
ପଡେ ଉଛୁଳି , ସଖୀରେ , ବଡ଼ଦାଣ୍ଡ ଲାଗେ
ବଡ଼ ଗହଳି , ସଖୀରେ ।।
ମଣିମା ମଣିମା ଡାକ , ଡାକନ୍ତି ସେବକ
ଡାକେ ଡାହୁକ , ସଖୀରେ , ଡାକରେ ଉଛୁଳେ
ବ୍ରହ୍ମାଣ୍ଡ ଜାକ ,ସଖୀରେ ।।
ଦୀନ ବାନ୍ଧବ ମାଧବ , ମଧୁସୁଦନ ସେ
ମୋ ପ୍ରାଣ ଧବ , ସଖୀରେ , ତା ସେବାରେ ଯାଉ
ମୋ , ଜୀବନ ଜାକ , ସଖୀରେ ।।
ଆଜି ବାହୁଡ଼ା ଯାତରା , କଳା ବାମନ ମୋ
ଦିଶନ୍ତି ତୋରା , ସଖୀରେ , ନନ୍ଦିଘୋଷ ଦେଖ
ହୋଇଛି ଛିଡ଼ା , ସଖୀରେ ।।
ନାଗ,ଗନ୍ଧର୍ବ,କିନ୍ନର , ସ୍ଵର୍ଗୁ ଅପସରା
ହେଲେଣି ଠୁଳ , ସଖୀରେ ,ବିଜୟ କରିବେ
କଳା ଠାକୁର , ସଖୀରେ ।।
ମହାବାହୁ ମହାମେରୁ , ସୁନ୍ଦରାଚଳରୁ
ଶ୍ରୀବ୍ରହ୍ମ ଦାରୁ , ସଖୀରେ , ନୀଳାଚଳେ ଯିବେ
ସେ କଳ୍ପତରୁ , ସଖୀରେ ।।
କହଇ ପ୍ରଫୁଲ୍ଲ ଦ୍ୱିଜ , ଶରଣ ପଶିବା
ତା ପଦବ୍ରଜ , ସଖୀରେ , ଉଦ୍ଧାର କରିବେ
ସେ ଦେବରାଜ , ସଖୀରେ ।।
