ରଜନୀ ରାଣୀର ମନମୋହା ଦୋହାରେ
ବିଭୋରିଯାଏ ଯେବେ ସଂସାର ସାରା
ଆମ ଗାଁ ଆକାଶେ ଉଡ଼ନ୍ତି ଅଗଣିତ ପାରା ।
ଭ୍ରମର ଯେତେ
ଦଳବାନ୍ଧି ହୁଅନ୍ତି ଗୁଣୁଗୁଣୁ
ଫୁଲ ପାଇଁ ନୁହଁ ମ..
ଫୁଲ ମାନେ ତନ୍ଦ୍ରାରେ ଏକ୍ଲା ଏକ୍ଲା
ନିଜେ ନିଜ ସହ କରନ୍ତି ବାର୍ତ୍ତାଳାପ
କାରଣ ଭ୍ରମର ମାନେ ଅନ୍ଧାରକୁ
ମନେଇ ବୁଝେଇ କରୁଥାନ୍ତି
ଗୋଗୋଚିଚି ପାରୋଚିଚି ।
ହଁ କିଛିଟା ତାରାଙ୍କୁ
ଅବଶ୍ୟ ମଉକା ମିଳେ
ଜହ୍ନର ଅନୁପସ୍ଥିତିରେ
କଇଁ ମାନଙ୍କ ସାଥିରେ
ଗାଇବାକୁ ସ୍ମୃତିର ଗଜଲ୍ ।
ଭ୍ରମର ସବୁ ଆଶା ନଈତୀରେ
ମେଳନ୍ତି ରୁପାଜାଲ
ତମାମ୍ ବାଧା ବନ୍ଧନ ଏଡ଼ାଇ
ଅସଂଖ୍ୟ ଭଉଁରି ଚିରି
ସୁନାମାଛ ଆଣିବାକୁ ଧରି ।
ତାଙ୍କୁ ତ ଅନ୍ଧାର ଚିଡ଼େ
ଫୁଲେଇ ହେଇ କୁହେ,
ରାତି ତୁମ ଭିତରେ ବିଚରେ
ନା' ତୁମେ ରାତି ଭିତରେ !
ପବନର ସାଇଁ ସାଇଁ
ନଈର ଘୋ..ଘୋ
ନିଶାଚର କଲର କାଚର
ପଠାଧାରେ ଝଙ୍କାଳିଆ ବରଗଛ ଛାଇ
ତାଙ୍କୁ ଜମା ଅନ୍ୟମନସ୍କ ପାରେନି କରି
କାରଣ ସେ ବେଳେ ସେମାନେ
କାର୍ଯ୍ୟରେ ତଲ୍ଲୀନ
ମନ୍ତ୍ରମଗ୍ନ ତପସ୍ୱୀ ପରି ।
ଅବିରାମ..
ଘର୍ମାକ୍ତ ପରିଶ୍ରମ
ଛୋଟ ଛୋଟ ସ୍ବପ୍ନ କିଛି ପୂରିଯାଏ ବୋଲି
ରାତି ସାଥେ ଅନିଦ୍ରାରେ ଖେଳନ୍ତି ଲୁଚକାଳି ।
ସଖି ଗୋ..
ଆମ ଆଡ଼େ ଏମିତି
କହିବକି ତୁମ ଆଡ଼େ କେମିତି !
କୁଶମେଲ, ଝାରସୁଗୁଡ଼ା
