ଡଗର ଡାକଦିଅଇ
ଅକୃର ଆସିଛି ମଥୁରା ଭୁବନୁ
କଂସାସୁର ଦୂତ ହୋଇ
ଆଣିଅଛି ଏକ ସୁ ସଜ୍ଦିତ ରଥ
ରଥେ କୃଷ୍ଣ ବଳରାମ
ବସାଇ ସେ ନେବ କଂସ ଆଜ୍ଞା ଘେନି
ବିଧି କି ହୋଇଲା ବାମ ।।
ମହା ଆଡ଼ମ୍ବରେ ମଥୁରା ନଗରେ
କରୁଅଛି ଧନୁଯାତ
କପଟେ ଉତ୍ସବ ଦେଖିବା ଛଳରେ
ଡକାଇ ନେଉଛି ଦୈତ୍ୟ
ମତ୍ତହସ୍ତି ମଲ୍ଲ ଜଗାଇ ରଖିଛି
ତୋରଣ ର ଦ୍ୱାରେ ଦ୍ୱାରେ
କୃଷ୍ଣ ବଳରାମ ଦୁଇଭାଇ ଙ୍କୁ ସେ
ଗଣେ ଅରାତୀ ପଣରେ ।।
ଅନେକ ରାଇଜୁ ହକାରିଛି କେତେ
ରାଜା ଆଉ ରାଜପୁତ୍ର
ତାଙ୍କ ସମ୍ମୁଖରେ ରଙ୍ଗ ସଭା ସ୍ଥଳେ
କୃଷ୍ଣ ବଳରାମ ହତ
କରିବ ,ନିଜର ବଡିମା ପାଇଁ କି
ମନ୍ତ୍ରଣା ସେ କରିଅଛି
ତାଙ୍କୁ ନେବାପାଇଁ ତେଣୁ ଅକୃର କୁ
ରଥ ଦେଇ ପଠାଇଛି ।।
ଶୁଣି ଗୋପବାଳୀ ହୋଇ ଏକ ମେଳି
ନେତ୍ରୁ ଝରାଇ ଲୋତକ
ଅକୃର କୁ ଦେଖି କହୁଛନ୍ତି ଗୋପୀ
ଆରେ ମୁଢ ଅବିବେକ
ଦଇବ ସହିବ ନାହିଁରେ ଅକୃର
ତୁରେ ଏଡିକି ନିଷ୍ଠୁର
ଜୀବ ଥାଉ ଥାଉ ପ୍ରାଣକୁ ଶରୀରୁ
କରିଦେଉଅଛୁ ଜୁର ।।
କୃଷ୍ଣ ଆମ ପ୍ରାଣ ତାବିନା ଜୀବନ
କେମନ୍ତେ ରଖିବୁ ଧରି
କୃଷ୍ଣ ନେବା ଆଗୁ ରଥଚକ ତଳେ
ଦିଅରେ ଆମକୁ ଦଳି
ନାହିଁ ଯହିଁ କୃଷ୍ଣ ଗୋପାଙ୍ଗନା ପ୍ରାଣ
ଉପଳ ସମାନ ସିନା
ଗୋପ ଶିରୀ ହତ ହେବ ଆରେ ଦୂତ
ନିଶ୍ଚେ ସିନା କୃଷ୍ଣ ବିନା ।।
ଗୋପ ଆକାଶ ର ପୂନିଅଁ ଜହ୍ନ ରେ
ତାବିନା ଗୋପ ଅନ୍ଧାର
ବ୍ରଜ ର ବସନ୍ତ ଆମ କୃଷ୍ଣ ଚନ୍ଦ୍ର ତା
ବିନା ସବୁ ଅସାର
ଆରେ ରେ ଅକୃର ନକର ନକର
ଏପରି ହୀନ କରମ
କୃଷ୍ଣ ବିନା ସିନା ଗୋପପୁର
ଆଜି ହୋଇବ ଶ୍ମଶାନ ସମ ।।
ମଙ୍ଗଳାଯୋଡି, ଖୋରଧା
