ତୁମ ହସ ପାଇଁ ଆଗୋ ପ୍ରେମକଇଁ
ଝରୁ ଯେତେ ଆଖିବାରି,
ଲାଗେ ତାହା ମତେ ଶୀତ ପାହାନ୍ତିର
ଶିଶିର କଣିକା ପରି ।
ତୁମ ସୁଖ ପାଇଁ ଯେତେ ଯାହା ଦୁଃଖ
ଶୀତଳ ଚନ୍ଦନ ଲେପ,
ସତେଜ ହୁଅଇ ଆହୁରି ଆହୁରି
ମନ ତଳ ପ୍ରୀତି ଦୀପ ।
ତୁମେ କାନ୍ଦିଦେଲେ ମୋ ମନ ଗଗନେ
ଶୋକରେ ବାଦଲ ଛାଏ,
ଚଗଲି ବରଷା ମୋ ମନା ନମାନି
ଅଥକେ ବରଷି ଯାଏ ।
ଶୋକାସିକ୍ତ ମୁଖ ଚାହିଁ ମୁଁ ଅରକ୍ଷ
ଲାଗେ ଛାଡ଼ନ୍ତି ଜଗତ,
ଲାଗଇ ବିଷମ ଭେଦଇ ମରମ
ଉକ୍ତ ପରିସ୍ଥିତି ମିତ ।
ତୁମ ଅଶ୍ରୁବୁନ୍ଦା ଆଗୋ ସ୍ବପ୍ନଗନ୍ଧା
ଯତନେ ସାଇତି ରଖ,
ମୋ ଭାଗକୁ ଠେଲି ଦିଅ ପଛେ ପ୍ରିୟା
ଅଛି ଯାହା ସବୁ ଦୁ଼ଃଖ ।
କଥା ଦିଅ ମତେ ଏମିତିକା ବେଳ
ଆସିବନି ଆଉ ଜମା,
ନିଜେ ହସି ହସି ମତେ ହସେଇବ
ମନୋରାଜ୍ୟ ରାଜଜେମା ।
ଯେତେ ଯାହା ଚାହଁ ନିସଙ୍କୋଚେ କୁହ
ଶୀଘ୍ର ଆଣିଦେବି ଥୋଇ,
କହିଲେ ମୋହର ପ୍ରାଣ ନିଛାବର
କରିଦେବି ତୁମପାଇଁ ।
ରାଜେଶ ପୂଜାରୀ
କୁଶମେଲ, ଝାରସୁଗୁଡ଼ା
