ପାଖେଇ ଯିବାକୁ ସେତେ - ରାଜେଶ ପୂଜାରୀ

0
ଅହରହ ଚଞ୍ଚଳ ବିହଗମାନେ
ସୁଦୂର ନଭର ନୀଳିମାକୁ
ଚୁମ୍ବିବାକୁ ଇଚ୍ଛା କରି
ବିଫଳତା ଛଡ଼ା ଅନ୍ୟ କିଛି
ନପାଇବା ପରି
ତମର ଏ ଅନପେକ୍ଷିତ ବ୍ୟବହାରେ
ହୃଦୟ ହେଉଛି ଚିରି ।

ମତେ ଲାଗୁଛି ବନ୍ଧୁ ଥିଲା ବେଳେ ଥିଲି
ଯେତେ ଦରକାରୀ,
ଯେବେଠୁ ଚାହିଁଲି ସଂପର୍କକୁ
ପାଦେ ଆଗକୁ ନେବାକୁ
ହୋଇ ପଡ଼ିଲି ପୁରା ଅଦରକାରୀ ।

ହେଲେ ମୋର ବି ଏକା ଜିଦ୍
ରାତି ସାଥେ ସରି ସରି ଯିବି ପଛେ
ଦିନ ସାଥେ ପାହି ପାହି ଯିବି ପଛେ
ନିର୍ଲଜଟିଏ ପରି
ବୁହେଇବି ମଦନ ମଳୟ
ଛୁଟେଇବି ପ୍ରେମରୟ
ଶିଖେଇବି ଆପଣା ଭାବର ରାଗ ଛନ୍ଦ
ତୁମେ ନଦିଅ ପଛକେ ଲୟ ।

ହଜୁଥିଲେ ଖୋଜୁଥିବି
ଭାଙ୍ଗୁଥିଲେ ଗଢୁଥିବି
ରାଗିବ, ଝଗଡ଼ିବ ଯେତେ
ସବୁ ସହିଯିବି
ମୁଁ ବି ଦେଖୁଛି. ..
ଦୂରେଇବ କେତେ
ପାଖେଇବାକୁ ସେତେ ।


କୁଶମେଲ, ଝାରସୁଗୁଡ଼ା
ମୋ-୯୭୭୭୨୮୦୪୯୪

Post a Comment

0Comments
Post a Comment (0)