ନେପଥ୍ୟୁ ମିଳିଲା ସୂଚନା
ଆଉ ହୁଅନା ଆନମନା
ନଈପଠା ଚିନ୍ମୟ
କାଶତଣ୍ଡିର
ହୃଦଜୟୀ ମହକରେ,
ମୋର ଅନାବରଣ ଦେହକୁ
ବାର ବାର ଯାଉଛି ସ୍ପର୍ଶି
ଚଗଲି ଲହରୀମାଳା
କୁତୁକୁତୁ କରିବାକୁ ।
ପରିଚ୍ଛଦ ସବୁ ଉଡ଼ି ଗଲେଣି
ବେପରୁଆ ବାଆ ସାଥିରେ
ଖିଆଲ ନାହିଁ ଜମାରୁ
କାରଣ ମୁଁ ସେଦିନର
ପୁନରାବୃତ୍ତିର
ଛବି ଅଙ୍କନରେ ବିଭୋର ।
ସେଦିନ ପହଁରିଥିଲେ ଦୁହେଁ
ରାନ୍ଧୁଣି ଗୁଧୁଆରୁ
ଗୋଠ ବାହୁଡ଼ା ଯାଏ ।
ଶେଷରେ
ଶାନ୍ତିରେ-କ୍ଲାନ୍ତିରେ
ଢଳି ପଡ଼ିଲେ ପଠାରେ
ଫୁଲକୁ କରିଥିଲେ ଦସଣା
କଳାଘୁମର ମେଘକୁ କରି ଓଢ଼ଣା
ବାଲୁକା ରାଶିରୁ କିଛି
ବୋଳି ଥିଲେ ଚନ୍ଦନ କରି
ଖୋଳା ଦେହରେ ।
ପରେ ପରେ ହେଲା ଯାହା ସବୁ
ଜାଣିନି, କାହିଁକି ହେଲା
କଦାପି ହେବାର ନଥିଲା !
ମୋ ସୁନା.. ମୋ ଧନ
ସେ ସବୁ ଭ୍ରମଧାରଣାକୁ
ଏଡ଼ାଇ ଆସୁନ ଚାଲି
ପୁଣିଥରେ ଗଢ଼ିବା ଭାଙ୍ଗି ଯାଇଥିବା
ବିଲୁଆ ଘର
ଖଞ୍ଜିଣ ତୋରଣ ପ୍ରୀତିର ।
କାହିଁକି ନା..
ଠିକ୍ ସେମିତି ଅଛି ପାଗ
ଯା'ସାଥେ ଜଡ଼ିତ
ଆମର ଅନେକ-
ଖଟ୍ଟା ମିଠା ଅନୁରାଗ।
କୁଶମେଲ, ଝାରସୁଗୁଡ଼ା
