ମୁଁ ଏବେବି ଖୋଜୁଛି ମୋ ଭିଟା ମାଟିକୁ - ଗୋପାଳ ଚନ୍ଦ୍ର ସାଓ

0
ମୋ ଗାଁ ନାଁ ଥିଲା ଶାମପୁରା ଦିନେ
ବଦଳି ଯାଇଛି ଆଜି
ଗାଁ ଦାଣ୍ଡେ ଧୂଳି ଉଡୁଥିଲା ଦିନେ
ମୀନ ଖେଳି ବୁଲେ ଆଜି
ବୁଡ଼ିଗଲା ଆମ ଗାଁ ଆମ୍ବ ତୋଟା
ବର ଗଛ ବର ଅହଳ
ଅତୀତ ରେ ଯେବେ ରଜ ଆସୁଥିଲା
ପଡୁଥିଲା କେତେ ଚହଳ
କାଶୀ ବୁଦା ଡେଇଁ ବର୍ଷା ଆସୁଥିଲା
ଧଳା ଛିଟ ଶାଢ଼ୀ ପିନ୍ଧି
କାହିଁ ଗଲା ସେଇ ଆଷାଢ଼ ଶ୍ରାବଣ
ବର୍ଷା ପଡେ ଆଜି ଛନ୍ଦି
ଧୋଇ ଗଲା ଥିଲା ଯେତେ ସବୁ ସ୍ମୁତି
ଜମ୍ଭୀରା ଜଳରେ ଏବେ
ହଜି ଗଲା ଆଜି ମୋ ପିଲାଦିନ
ଫେରି ପାଇବିନି କେବେ
ଭଙ୍ଗା ମାଟି କାନ୍ଥ ହାତ ଠାରି ଡାକେ
ଧୋଇବା ଆଗରୁ ଥରେ
ଧାନ କିଆରୀ ମୋ କହୁଛି ଆହୁରି
ପକେଇ ଦେ ରେ ତୁ ଗାରେ
ଭିଟା ମାଟି କହେ ଲୁହରେ ବତୁରୀ
ନେ ରେ ମୁଠେ ତୁ ମୋତେ
ଶୋଷି ମୁଁ ରଖିଛି ବାଛି ତୋ ଅତୀତ
ମିଠା ସ୍ମୃତି ଥିଲା ଯେତେ
ଗାଁ ଦାଣ୍ଡ କହେ ଭସେଇ ଦେ ରେ
ଥରେ ତୁ କାଗଜ ଡ଼ଙ୍ଗା
ଦିନ କେଇଟା ରେ ବୁଡେଇ ମାରିବ
ଭଙ୍ଗା ଦଦରା ଡଙ୍ଗା
ଜମ୍ଭୀରା ଜଳରେ ମହକ ମୋ ଗାଁ
ଲାଗେ ଚନ୍ଦନ ଚନ୍ଦନ ପରି
ପିଇ ଦେଲେ ଢୋକେ ଅପୂର୍ବ ଆନନ୍ଦ
ଇଚ୍ଛା ଯାଏ ସବୁ ମରି


ଗୋପାଳ ଚନ୍ଦ୍ର ସାଓ
ବାରିପଦା, ମୟୂରଭଞ୍ଜ

Post a Comment

0Comments
Post a Comment (0)