ପ୍ରସନ୍ନ କୁମାର ମାଦଳା
ଘ.ନଂ.- ଏଫ୍/ ୧୩ , ସେକ୍ଟର - ୪, ରାଉରକେଲା
ଦୂରଭାଷ - ୭୯୭୮୧୯୨୨୨୭

ସତେ କି ମୋ ଭାଗ୍ୟ ହୋଇଅଛି ଯୋଗ୍ୟ
ଜନମ ଗ୍ରହଣ ଅର୍ଥେ
ଏ ଭାରତ ଭୂମେ କଲା ପୁଣ୍ୟ କ୍ରମେ
ଲଭି ପ୍ରୀତି ପରମାର୍ଥେ ।
ତହୁଁ ଭାଗ୍ୟ ବେଶି ଯେତେ ବ୍ରଜବାସୀ
ଛୁଇଁ ସେ ପାବନ ଭୂଇଁ
ହୋଇଗଲେ ଧନ୍ୟ ଦେବ ଅଂଶେ ଗଣ୍ୟ
ବ୍ରଜରେଣୁ ଲବେ ପାଇ ।
କି କଳିବି ଆଉ ପୂର୍ବେ ଜନ୍ମି ଥାଉ
ଅଗ୍ରେ ଦେବଗଣ ଆସି
ଥାଇ ସଜବାଜେ ରହିଲେ ମଉଜେ
ବୋଲାଇ କି ଗୋପବାସୀ ।
ମନୁ ଶତରୂପା ପାଇ ଅନୁକମ୍ପା
ବସୁଦେବ ଓ ଦେବକୀ
ତହୁଁ ଭାଗ୍ୟ ଅତି ନନ୍ଦ ଯଶୋମତୀ
ପୁତ୍ର ବାଲ୍ୟଲୀଳା ଦେଖି ।
ତ୍ରେତୟାର ଋଷି ତପବଳେ ଆସି
ପ୍ରଭୁଙ୍କ ସାନିଧ୍ୟ ଆଶେ
ଦେଖ ଦେଖ ସଖୀ କୋଳାଗ୍ରତେ ରଖି
ବିଧୁରା ଗୋପିକା ବେଶେ ।
କି ବର୍ଣ୍ଣିବି ଭଣି ଲକ୍ଷ୍ମୀ ଠାକୁରାଣୀ
ନିର୍ଦ୍ଦେଶେ ଗଲେ ବିରାଜି
ଭିଆଇଲେ ଲୀଳା କୋଟି କାମକଳା
ରାଧିକା କିଶୋରୀ ସାଜି ।
ତେଜି ବଇକୁଣ୍ଠ ହୋଇଲେ ପ୍ରକଟ
ଜଗତ ଠାକୁର ସାଇଁ
ଖଳ ବଳ ନାଶି ମେଦିନୀ ଉଶ୍ବାସି
ଧର୍ମ ସଂସ୍ଥାପନ ପାଇଁ ।
ଅଷ୍ଟମୀ ତିଥିରେ ଘୋର ନିଶୀଥରେ
ମାୟାଙ୍କୁ ପ୍ରଥମେ ପେଶି
କେତେ କରି ଖଞ୍ଜ ଚକ୍ରୀ ଚତୁର୍ଭୁଜ
ମାତୃକୋଳେ ଉଭା ଆସି ।
ତଟିନୀ ଯମୁନା ଚଞ୍ଚଳା ଲଳନା
ଚରଣ ପରଶ ପାଇ
ଧନ୍ୟ ହେ ମାଧବ ତା' କୂଳେ କେଶବ
ମୋହିଲ ମୂରଲୀ ବାଇ ।
ଏ ଲୀଳା ସ୍ମରଣେ ନିତ୍ୟ ଥାଅ ତୁମେ
ହୃଦୟ ମନ୍ଦିରେ ମୋର
ଅଗତିର ନାଥ ଭାବେ ଯଦୁନାଥ
ଚିତ୍ତ ମୋ ପ୍ରସନ୍ନ କର ।