ପ୍ରସନ୍ନ କୁମାର ମାଦଳା
ଘ.ନଂ.- ଏଫ୍/ ୧୩ , ସେକ୍ଟର - ୪, ରାଉରକେଲା
ଦୂରଭାଷ - ୭୯୭୮୧୯୨୨୨୭

ସ୍ବାଧୀନ ଦେଶର ଭ୍ରାତା ଭଗ୍ନୀ ମୋର ଶୁଣ ଶୁଣ ଏହି ଗୀର
ସମ୍ଵିଧାନ ଦେଖ ହେଲାଣି କନ୍ଦୁକ ବଦଳାଇ ବାର ବାର
ରାଜନୀତି ସ୍ବାର୍ଥ କରିଛି କଦର୍ଥ ଜାତି ଧର୍ମେ ଭାଗ ବାଣ୍ଟି ।

ମେଧାବୀ ଛାତ୍ରର ଭାଗ୍ୟ ଅନ୍ଧକାର ପାଠେ ପଡିଯାଏ ଡୋର
କପି ଦେବା ଗୁରୁ ସାଜେ ମହାମେରୁ ପିଲାଏ ହୁଅନ୍ତି ଚୋର
ଏହି କଥା ଖୋଲି କହେ କିଏ ବୋଲି ପାହାରେ ପାଏ ତା' ପିଠି ।

ଆମ ଅଧିକାର କରିଲେ ଉଦ୍ଗାର ହୋଇବ ବିରାଟ ପୋଥି
ବାବୁଆଣୀ ଯାଇ ପଦୋନ୍ନତି ପାଇଁ କାହାକୁ ଦିଅନ୍ତି ପ୍ରୀତି
ସରିଗଲେ କାମ ସବୁ ଅନୁପମ ଖୁସିରେ ଯାଆନ୍ତି ଲୋଟି ।

ଜାତି ଧର୍ମ ନାମେ ବାଣ୍ଟିଣ ବିଷମେ ସମ୍ବିଧାନ ସଂଶୋଧନ
କରି କେତେ ବର୍ଷ ଭରିବେ କଳୁଷ କାଟି ଚିତା ଚଇତନ
ଚଉଦ ପା' ନିଜ ହାତେ ସବୁ ଆଜ କହିଲେ ବାଜିବ ଲାଠି ।

ତେଲ ମାରି ଚାଟି ଦେଲେ କିଛି ଭେଟି ଚାକିରି ଯାହାକୁ ଯେତେ
ଅଦକ୍ଷ ସଦୃଶ ବାହିନେଲେ ଦେଶ ଚଳିବ ବିନାଶ ପଥେ
ଖୋଲିଲେ ଗୁମର ନଥିବ ଶରୀର ମୁଣ୍ଡ ନେବେ ବେକ କାଟି ।

ଗରିବର ପେଟ ଭୋକେ ଛଟପଟ କନ୍ତରା କନାରେ ଲାଜ
ତଥାପି ବିଳାସେ ହାତ ମାରି ନିଶେ ଉଡାଉ ବିକାଶ ଧ୍ବଜ
ଚଷାପୁଅ ହାତେ ଆମ ଏ ଭାରତେ ସ୍ବର୍ଣ୍ଣ ଉପୁଜାଏ ମାଟି ।

ବୋଲାନ୍ତି ଡାହାଣୀ ମାଆ ଓ ଭଉଣୀ ଅଜ୍ଞାନ ତିମିରେ ଥାଇ
ସଶକ୍ତିକରଣ ହେବ କେବେ ପୁଣ ସତ କହ ମୋର ଭାଇ
ନିର୍ଭୟା ଲଳନା ଇଜ୍ଜତ କି ଊଣା ଖାଇଦେଲ ଖୁଣ୍ଟି ଖୁଣ୍ଟି ।

ନିତି ବିନା ଯୁଦ୍ଧେ ଅନ୍ତର ବିବାଦେ ବୁହାଏ ଯେ ଲହୁ ଧାର
କି ଲାଗି ବିଦ୍ରୋହ ନିରନ୍ତର କହ ପ୍ରାଣ ହାରେ ସହୋଦର
ଦେଶର ରକ୍ଷକ ପାଳୁଥାଇ ଶୋକ ରକତେ ଲେଖଇ ଚିଠି ।

ସମାନତା ବଳେ ଜୀବିକା ଯେ ଚଳେ କାନ୍ଧରେ ମିଶାଇ କାନ୍ଧ
ହାତେ ହାତ ମିଶି ବଢିଗଲେ ଆସି ସାଗରେ ବାନ୍ଧିବା ବନ୍ଧ
ମୁଁ' ପଣ ବରଜି ଆମେ ହେଲେ ରାଜି କିସ ଅସମ୍ଭବ ଏଠି ?