ପ୍ରସନ୍ନ କୁମାର ମାଦଳା
ଘ.ନଂ.- ଏଫ୍/ ୧୩ , ସେକ୍ଟର - ୪
ରାଉରକେଲା - ୭୬୯୦୦୨, ଫୋନ୍ - ୭୯୭୮୧୯୨୨୨୭
ସେଦିନୁ ସାଇତି ରଖିଛି ଖୋଜି
ଅମରାବତୀର ପାରିଜାତଟିଏ
ଦ୍ବାରାନଗରୀରୁ ସତ୍ୟଭାମାଙ୍କଠୁ
ନିଜ ହାତେ ଖଞ୍ଜି ଦେବି ବୋଲି
ବିନ୍ଯାସିତ ଘନକୃଷ୍ଣ କେଶଗୁଚ୍ଛେ ତୁମ।
ତହୁଁ ବଳି ସାଇତି ରଖିଛି ଖୋଜି
ଅତୀତର ଅମ୍ଳାନ ପାଟ ବସ୍ତ୍ରଟାଏ
ଅତ୍ରି ମୁନି ଓ ଅନସୂୟାଙ୍କଠୁ
କୁଞ୍ଚ କରି ପିନ୍ଧାଇ ଦେବି ବୋଲି
ଯଉବନେ ପ୍ରସ୍ଫୁଟିତ ଗୌର ଅଙ୍ଗେ ତୁମ।
ପୁନଶ୍ଚ ଦିବ୍ୟ ଗନ୍ଧମୟ ଅଂଗବାସ
ମଥୁରାର ପ୍ରାଣଧନ୍ୟା କୁବୁଜାଙ୍କଠୁ
ଆଉ ଦିବ୍ୟ ସିନ୍ଦୂରପେଢି
ଅବଧପୁର ମାତା ଜାନକୀଙ୍କ ଠାରୁ
ସାଇତି ରଖିଛି ଖୋଜି
ଯତନରେ ଖାସ୍ ତୁମ ପାଇଁ ପ୍ରିୟେ
କଥା ରଖି ନିଶ୍ଚୟେ ଆସିବ ବୋଲି କେବେ ।
ଚିତ୍ରଲେଖାର ପାଦ ଘୁଂଗୁର ଆଉ
ମଧୁମାଳତୀର ଏହି କୁସୁମହାର
ପ୍ରଣୟିନୀ ଶକୁନ୍ତଳାଙ୍କଠାରୁ
ସାଇତି ରଖିଛି ଖୋଜି
ନିଜ ହାତେ ସଜାଇ ଦେବି ବୋଲି
ପାଶେ ବସି ବାସରରେ ମୋ ପ୍ରାଣ ପ୍ରିୟାକୁ ।
ମଶାଣି ଫେରନ୍ତା ମଳୁଟିଏ ପରି
ଅଥବା କେଉଁ ଏକ ଦଗ୍ଧବନର
ଦରସିଝା ତରୁଟିଏ ପରି
ତକ୍ଷକଦଂଶିତ ତପ୍ତ ଜ୍ବାଳାରେ ଅଗ୍ନିସ୍ନାନ ସାରି
ବଂଚି ରହିଛି ମୁଁ କେବେଠୁ
ଶ୍ରାବଣ ଆସିଲେ ମଥା ତୋଳି
ଅଙ୍କୁରିତ ହେବି ଦୁର୍ବାଦଳ ସାଜି,
ଆସିବ ତ ତୁମେ ମୋ ପ୍ରିୟେ !
ମାହେନ୍ଦ୍ର ବେଳାରେ ଅର୍ଘ୍ୟ ହେବି ବୋଲି ??
ପାରିଜାତ - ପ୍ରସନ୍ନ କୁମାର ମାଦଳା
August 15, 2017
0
