ସୈନିକ - ଧ୍ରୁବ ଚରଣ ବେହେରା

0
ଦେଶ ସେବା ମୋର ବେଉସା ଅଟଇ
କି କରିବି କୁହ ଭାଇ
ମୋ ଭାଗ୍ଯରେ ବିହି ଲେଖିଅଛି ପରା
ବଡ ପୂଣ୍ଯ କର୍ମ ଏହି ।।

ଧନ୍ୟ ମୋ ଜନନୀ ଧନ୍ୟ ମୋର ପିତା
ଯା ଜଠୁ ନେଲି ଜନମ
ତାଙ୍କ ଆଶୀର୍ବାଦେ ଜୀବନରେ ଆଜି
କରୁଛି ଧରମ କାମ ।।


କେବେ ଜଗିଥାଏ କାଶ୍ମୀର ସୀମାରେ
କେବେ ଥାଏ ଲଦାକରେ
ବିଷ୍ଣୁଦେବୀ ମାତା ପାହଡ ଉପରେ
ସେବା ମୋ ଜନ ହିତରେ ।।

ଅମରନାଥ ଯାତ୍ରା କୋଣ ଅନୁକୋଣେ
ଜଗେ ସତର୍କ ପ୍ରହରୀ
ସୈନିକ ଜୀବନ ଏହି ପରି କଟେ
ଚାଲେ ଦେଶ ସେବା କରି ।।


ନିର୍ବାଚନ ଠାରୁ ସଂସଦ ପର୍ଯ୍ୟନ୍ତ
ଦେଖିବାକୁ ମିଳୁ ଆମେ
ଦିନ କଟିଯାଏ ରାତି ବିତିଯାଏ
ମାତୃଭୂମି ସେବା କର୍ମେ ।।

କାହିଁ ବରଷାକୁ କାହିଁ ବିଜୁଳିକୁ
ନଥାଏ ଡର କି ଭୟ
ବରଫ ପାହଡ ନ ଲାଗଇ ଡର
ନ ହରାଉ କେବେ ଲୟ ।।


ଲକ୍ଷ୍ଯ ପଥେ ଯିଏ ପଥିକ ସାଜିଛି
ହାରେନି ତାହାର ବଳ
ନିଶ୍ଚିତ ଜିତିଛି ଚଲାପଥେ ତାର
ଏହି ତାର ଅସ୍ତ୍ର ଖେଳ ।।

ଧନ୍ୟ ଧନ୍ୟ ମୋର ପବିତ୍ର ଏ ମାଟି
ଧନ୍ୟ ମୋ ଜନମ ଭୂମି
ଏହି ସେବା ପାଇ ଧନ୍ଯ ମୁଁ ହୋଇଲି
ତୋ କୋଳରେ ମୁହିଁ ଜନ୍ମି ।।


ନିତ୍ଯ କରେ ତୋର ଚରଣ ବନ୍ଦନା
ରାଷ୍ଟ୍ରୀୟ ସଙ୍ଗୀତ ଗାଇ
ସକାଳ ମୋହର ଆନନ୍ଦେ କଟଇ
ବନ୍ଦେ ମାତରମ୍ କହି ।।

ସଞ୍ଜ ସକାଳରେ ତ୍ରିରଙ୍ଗା ପାଦରେ
କରୁ କୋଟି ନମସ୍କାର
ତାହାପାଇଁ ପରା ଅମର ଶହୀଦ
ସଦା ସର୍ବଦା ଅମର ।।


କରୁଛି ବନ୍ଦନା ମୋ ଜଗତ ମାଟି
ରକ୍ତ ଅଣୁ ଦେଇ ଭେଟି
ବୀର ଉତ୍କଳୀୟ ସନ୍ତାନ ମୁଁ ଅଟେ
ଭାରତେ ରହୁ ମୋ କ୍ଷ୍ୟାତି ।।

ଜଗତର ନାଥ ପ୍ରଭୁ ଜଗନ୍ନାଥ
ସାହା କରୁଣାର ବାରି
ଜୀବନ ତାହାର ସାର୍ଥକ ଲଭଇ
ତୋତେ ଯାଏ ଯେ ସୁମରି ।।


ତୁହି ଆଦି ଅନ୍ତ ତୁହି ରେ ସାମନ୍ତ
ତୋ ବିନୁ ନାହିଁ ତ ଗତି
ଦୀନ ସୈନ୍ଯକର ସାଥେ ଥିବ ଦେବ
ତୋ ପାଦେ କରେ ମୀନତି ।।






ଅଠରବାଟିଆ, ବାଲୁଗଁ।, ଖୋର୍ଦ୍ଧା

Post a Comment

0Comments
Post a Comment (0)