ସେବତୀ ସହ କାମିୟା ରାଓ କୋର୍ଟରେ ପହଞ୍ଚିବା ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କଲା ।ସେ ଟିମ୍ପା ରାମକୁ ଅଭିନୟ ବନ୍ଦ କରିବାକୁ କହିଲେ ।କିନ୍ତୁ ଏ କ'ଣ ...!ଟିମ୍ପା ରାମ୍ ର ଶରୀର ଯେ ନିଶ୍ଚଳ ହୋଇ ସାରିଥିଲା ।ତା'ର ଅଭିନୟ ସବୁ ଦିନ ପାଇଁ ଶେଷ ହୋଇଯାଇଥିଲା ।କବି ବାହୁବଳେନ୍ଦ୍ର ଖୁସୀରେ ମାତାଲ ହେଇଯାଉଥିଲା ।ଆଉ ଦିନା ଏବେ ବି ଟିମ୍ପା ରାମ୍ ଉପରେ ନିଶ୍ଚଳ ହୋଇ ବସିଛି ।ପରିସ୍ଥିତିର ଗମ୍ଭୀରତାକୁ ଅନୁଭବ କରି ବିଚାରପତି ପୋଲିସକୁ ଅର୍ଡର ଦେଲେ ଘଟଣାକୁ ସମ୍ଭାଳିବା ପାଇଁ ।ହେଲେ ଆଉ କିଛି ଘଟିବାକୁ ନ ଥିଲା ।କବି ବାହୁବଳେନ୍ଦ୍ର ହସି ହସି ଗଡିଯାଉ ଥିଲା ।ଥରକୁ ଥର ଉପରକୁ ଚାହିଁ କ'ଣ ଗୁଡାଏ ଅସ୍ପଷ୍ଟ ସ୍ବରରେ କହି ଚାଲିଥିଲା ।ଦୁଇ ଜଣ କନସ୍ଟେବଳ କବିକୁ କାବୁରେ ଆଣୁଥିବା ବେଳେ ଆଉ ଦୁଇ ଜଣ ଦିନାର ଡେଣି ଧରି ଟିମ୍ପା ରାମ୍ ଉପରୁ ଭିଡି ଆଣିଲେ ।
ଟିମ୍ପା ରାମ୍ ପାଖକୁ ଧାଇଁଗଲା କାମିୟା ରାଓ ।ଡାକିଲା ---ସାର୍ ,ଉଠନ୍ତୁ ।
କାମିୟାର କଥା ଆଗରୁ ଲେଖାଗଲା ଭଳି ଲାଗୁଥିଲା ।ସେ କେବଳ ଗୋଟିଏ ପୂର୍ବ କଳ୍ପିତ ଘଟଣାର ଯବନିକା ଟାଣୁଥିଲା ।ବିଚାରପତି କହିଲେ ---ସତ୍ୟପ୍ରିୟ ବାବୁ ଉଠନ୍ତୁ ।କୋର୍ଟ କାର୍ଯ୍ୟରେ ବିଳମ୍ବ ହେଉଛି ।
କାମିୟା କହିଲା ---ସାର୍ ,ସେ ତ ମୃତ ...
---କ'ଣ ହେଲା...
ସତ୍ୟପ୍ରିୟ ବାବୁଙ୍କୁ ଦିନା ହତ୍ୟା କରିଛି ...
କାମିୟାର କଥାରେ କବି ବାହୁବଳେନ୍ଦ୍ର ଖୁବ୍ ଜୋର୍ ରେ ହସିବାକୁ ଲାଗିଲା ।ଦୁଇ ହାତରେ ଛାତିକୁ ପିଟୁଥିଲା ।
ଆଉ ଦିନା ବିଚରା ନିଜର ରଙ୍ଗ ବଦଳୁ ଥିବାର ଅନୁଭବ କରୁଥିଲା ।ହଁ ,ସେ ତ ଟିମ୍ପାର ବେକକୁ ଚିପି ମାରିବାକୁ ଚାହୁଁଥିଲା ।ମାତ୍ର ଏ କାମ ତ କବି କରିଛି ।ସେ କେବଳ ଟିମ୍ପା ରାମ୍ ର କମ୍ପିତ ଶରୀରକୁ ସ୍ଥିର କରିବାକୁ ଯାଇ ଯବର ହୋଇ ତା ଉପରେ ବସି ରହିଥିଲା ।କବିର ବିକୃତି ବଢ଼ିବାରେ ଲାଗିଥାଏ ।ତା ସହ ତାଳ ଦେଇ ଦିନା ବି ହସିବାକୁ ଚାହୁଁ ଥାଏ ।ତା'ର ଅନ୍ତରାତ୍ମାରେ ଶାଗୁଣାର ଚିତ୍କାର ଜମାଟ ବାନ୍ଧୁଥାଏ ।ସେ ରାଜେଶ୍ ଆଡ଼କୁ ଅନେଇଲା ।ରାଜେଶ୍ ବି ହସୁଥାଏ ,କାମିୟା ବି ...
ଦିନାର ମନରେ କାହିଁକି କେଜାଣି ଆତ୍ମତୃପ୍ତିର ହସଟିଏ ବାହାରି ଆସିଲା ।ଅର୍ଡର...ଅର୍ଡର...ଡାକ୍ତରଙ୍କୁ ଡକାଯାଉ ।
କବି ଓ ଦିନାକୁ ପୋଲିସ୍ ହାତକଡି ପକାଇ ହାଜତକୁ ନେଇଯାଉଥିଲେ ।ବିଚରାଧିନ କଏଦୀ ଭାବେ ରହିବେ ।ଆଉ ଏକ କେସ୍ ର ବିଚାର ଚାଲିବ ।କୋର୍ଟରୁ ବାହାରିବା ବେଳେ ଦିନା ଦେଖିଲା ରାଜେଶ୍ ଠିଆ ହୋଇଛି ।ପାଖରେ ପବିନ୍ ବାପା ।ଦିନା ମନରେ ଟିକିଏ ବି ଦୁଃଖ ନ ଥିଲା ।ସେ ରାଜେଶ୍ ର କାନ୍ଧରେ ହାତ ରଖି ତା ମୁହଁକୁ ଚାହିଁ ହସି ଦେଲା ।ପବିନ୍ ବାପାର ହାତକୁ ଧରି କିଛି କହିଲା ବେଳକୁ ପୋଲିସ୍ ଭିଡି ନେଇଗଲେ ।ଦିନାର ନଜର ସେବତୀ ଉପରେ ପଡି଼ଲା ।ସେବତୀ ଆଖିରେ ଲୁହ ।ଦିନା ମୁଣ୍ଡ ହଲାଇ କିଛି କହୁଥିଲା ।ସେଇ ଲୁହ ଭରା ମୁହଁରେ ସେବତୀ ସବୁ କିଛି ବୁଝିଗଲା ।ଅଚାନକ୍ ସମସ୍ତେ ସ୍ତବ୍ଧ ହୋଇଗଲେ ।ସେବତୀଟା ପାଗଳି ହେଇଗଲା ନା କ'ଣ ...
ହାଃ...ହାଃ...ହାଃ...ଜମା ଡରିବନି ଅଙ୍କଲ୍ ,ସେବତୀ ଅଛି ।ଗୋଟିଗୋଟି କରି ଏ ଶାଗୁଣା ପଲଙ୍କୁ ମାରିବି ।ହାଃ...ହାଃ...
ଏକ ବର୍ଷ ପରେ କୋର୍ଟ ରେ କୋଳାହଳ ।ଆଜି ଟିମ୍ପା ରାମ୍ ହତ୍ୟାକାଣ୍ଡର ଫଇସଲା ହେବ ।ଦିନା ପାଇଁ ଓକିଲାତି କରୁଥିଲେ ବାରିଷ୍ଟର କାମିୟା ରାଓ । (ସମାପ୍ତ)
ପ୍ରଶାନ୍ତ କୁମାର ସାହୁ,
ଛତ୍ରଗଡ଼, ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.